Unknown

 

 

 

 

 

 

 

 

 

 

 

ନୟନ ଲୁହର ଧାରେ

ଅଧ୍ୟାପକ ହରିହର ଦାସ

 

-ଉତ୍ସର୍ଗ-

 

ଜୀବନର କେଉଁ ଏକ

ଅସ୍ତରାଗ ଗୋଧୂଳି ଲଗନେ

ପ୍ରାଣର ବେଦନା ଘେନି

ତୁମେ ଯିଏ ମିଶିଗଲ

ମୋ କବିତା ସାଥେ....... ।

କ୍ଷଣ କ୍ଷଣ ଚେତନତା

ଭରିଦେଲ ଶୟନେ ସପନେ

ତୁମରି ସଙ୍ଗୀତ ଆଜି

ସରାଗେ ମୁଁ ତୋଳି ଦେଲି

ସେ କଅଁଳ ହାତେ ।

 

-ମୁଖବନ୍ଧ-

 

‘ନୟନ ଲୁହରଧାରେ’ ବନ୍ଧୁ ଶ୍ରୀ ହରିହର ଦାସଙ୍କର ପ୍ରଥମ କବିତା ସଙ୍କଳନ, ତାଙ୍କ କାବ୍ୟିକ-ରଚନାର ବିକାଶଧାରା ସହିତ ଓଡ଼ିଆ-ପାଠର ପରିଚିତି ପାଇଁ ପ୍ରଥମ ସୋପାନ । ଏହା ପୂର୍ବରୁ ଶ୍ରୀ ଦାସଙ୍କର କେତେକ କବିତା ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲେ ମଧ୍ୟ ସେଗୁଡ଼ିକର ସଂଖ୍ୟା ଅତି ସୀମିତ ଏବଂ ସେଇ କାରଣରୁ ସେ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଧ୍ୟାନ ଧାରଣା ପାଠକ ମନରେ ସୃଷ୍ଟି ହେବା ସମ୍ଭବ ନୁହେଁ ।

 

ଲଖ୍ନୋ ବିଶ୍ୱବିଦ୍ୟାଳୟରେ ଅଧ୍ୟନୟ କଲାବେଳେ ମଧ୍ୟ ତାଙ୍କର ସାହିତ୍ୟ ସାଧନା ଯେ ଅବ୍ୟାହତ ରହିଥିଲା ତା’ର ପ୍ରମାଣ ଏଇ ସଙ୍କଳନରେ ସନ୍ନିବେଶିତ ହୋଇ ଆଜି ଲୋକଲୋଚନକୁ ଆସୁଥିବା କବିତାଗୁଡ଼ିକ । ସଂକଳନ ପର୍ଯ୍ୟାୟଭୁକ୍ତ କବିତା ମାଧ୍ୟମରେ Totality of impression ଆଶା କରିବା ତ ଏକ ବିଡ଼ମ୍ୱନା, ତେବେ ଏଇ କବିତାସବୁ ପାଠକଲା ବେଳେ ଏତିକି ମନେରଖିଲେ ଯଥେଷ୍ଟ ହେବ ଯେ, ‘‘The experience of a poem is the experience both of a moment and of a lifetime. It is very much like our intenser experiences of other human beings.

 

କବି ତରୁଣ ଏବଂ ତାଙ୍କର ପ୍ରତ୍ୟେକ କବିତାରେ ତାରୁଣ୍ୟର ଭାବୋଚ୍ଛ୍ୱାସ ବେଶ୍‍ ଉପଲବ୍ଧି କରି ହୁଏ । ଅନେକ ସ୍ଥଳରେ ପୁଣି ଏଇ ତାରୁଣ୍ୟଭରା ଉଚ୍ଛ୍ୱାସେ ଦେଖିବାକୁ ମିଳେ ଜୀବନ ପ୍ରତି ଏକ ବ୍ୟଙ୍ଗ ଦୃଷ୍ଟିଭଙ୍ଗୀ :–

 

ଦେହେ ତାର ଗଦା ଗଦା ସେଣ୍ଟ୍ ଲାଭାଣ୍ଡର

ମୁହେଁ ତାର ଗଦା ଗଦା ସ୍ନୋ ପାଉଡର

ଆଧୁନିକ ସଭ୍ୟତାର ନିଖୁଣ ନମୁନା

ମେନକା ସେ ବିଶ୍ୱାମିତ୍ର ତପ କରେ ଚୂନା । (ସଞ୍ଚୟ)

 

ଏଇ ସଂକଳନର ଅନେକ କବିତାରେ ପ୍ରେମାନୁଭୂତି ସମ୍ୱନ୍ଧରେ ଯେଉଁ ବର୍ଣ୍ଣନା ରହିଛି ତାହା ଗଭୀର ଦୁଃଖ ଓ ନୈରାଶ୍ୟରେ ରସାଣିତ । ଏହି ପର୍ଯ୍ୟାୟଭୁକ୍ତ କବିତାଗୁଡ଼ିକ ‘ବିଦାୟ ବେଳା’, ‘ପ୍ରଣୟ ଚୋର’ ‘ବୁଝିଲା ଅନ୍ତର ଯିଏ’ ପ୍ରଭୃତି । ଏହାଛଡ଼ା ପ୍ରେମର ଅନ୍ୟ ଦିଗ ଓ ଅନ୍ୟ ଅବସ୍ଥା ଯେ ରହିଛି ଓ ସେ ସମ୍ୱନ୍ଧରେ କବି ଯେ ସଚେତନ, ତା’ର ସୂଚନା ମିଳେ ଯେତେବେଳେ ସେ କ୍ଷୋଭ ପ୍ରକାଶ କରିଛନ୍ତି ‘ନ ଆସେ କାହିଁକି ସେହି ନବୀନ ସ୍ପନ୍ଦନ’ କହି ତାଙ୍କର ‘ପ୍ରଥମ ଚୁମ୍ୱନ’ରେ । ମାନବୀୟ ପ୍ରେମ ଯେ ଏକ ଚିରନ୍ତନୀ ଫଲ୍‍ଗୁ, ଏହାର ବିନାଶ ନାହିଁ, ବର୍ତ୍ତମାନର ଧ୍ୱଂସସ୍ତୂପରେ ମଧ୍ୟ ମଣିଷ ଅତୀତର ସ୍ମୃତିକୁ ସମ୍ୱଳ କରି ଜୀବନକୁ ଅର୍ଥବାନ କରିବା ଯେ ସମ୍ଭବ ଏହି କଥାର ଅବତାରଣା ସେ କରିଛନ୍ତି ‘ମରମ କଥାରେ’–

 

ରହିଯିବ କିନ୍ତୁ ଖାଲି ସେହି ଅନୁଭୂତି

ସେ ମାୟା ମମତା ପୁଣି ଅଦମ୍ୟ ପ୍ରବୃତ୍ତି

ରହିଯିବ ଯେତେ ମୋର ସୂଚାରୁ କଳ୍ପନା ।

ଜୀବନର ଯେତେ ରଙ୍ଗ ଚିତ୍ର ସଂଳାପନା ।

 

କଳ୍ପନା ବିଳାସ, ସୌନ୍ଦର୍ଯ୍ୟ-ପିପାସା ଓ ରୋମାଣ୍ଟିକ୍‍ ଚେତନାବୋଧରୁ ନିଜକୁ ମୁକ୍ତ କରି ବାସ୍ତବ ଜୀବନର ନିର୍ମମତାର ସ୍ପର୍ଶ ପାଇବା ପାଇଁ କବିଙ୍କର ଉଦ୍ୟମ ଓ ଆନ୍ତରିକତା ଆଉ ଏକ ପ୍ରଣିଧାନର କଥା । ଇଂରାଜୀ ସାହିତ୍ୟରେ ଆଧୁନିକ କବି W.B.Yeatsଙ୍କ କବିତାରେ ଠିକ୍‍ ଅନୁରୂପ ବିକାଶ (development) ସାଧିତ ହୋଇଛି । Louis Mac Neice ଏହାକୁ ଲକ୍ଷ୍ୟ କରି କହିଛନ୍ତି ଯେ W.B.Yeats ପ୍ରକୃତରେ ପରାଜୟରୁ ପ୍ରକୃତ ବିଜୟର ପନ୍ଥା ସଫଳତାର ସହ ନିର୍ଣ୍ଣୟ କରିପାରିଛନ୍ତି । W.B.Yeats, I must endure the timid sun କହିଲାବେଳେ କବି ଶ୍ରୀ ଦାସ କହନ୍ତି–

 

ଲୋଡ଼େ ମୁହିଁ ଭୋଗିବାକୁ ମୁଣ୍ଡଫଟା ଖରା

ସହିଯାଉ ଦେହ ମୋର ଶ୍ରାବଣ ଅସରା

ଚାଲିଯାଉ ଶୀତ ମୋର ଏଇ ପିଠି ପରେ

କଳ୍ପନା ବିଳାସ ମରୁ ରୁକ୍ଷଧରା ତଳେ । (ଆତ୍ମହତ୍ୟା)

 

ଏ ‘ଆତ୍ମହତ୍ୟା’ ରମାକାନ୍ତ ରଥଙ୍କ ‘ଧର୍ମପଦର ଆତ୍ମହତ୍ୟା’ ପରି ଓ ପୁଣି ଏହାଠାରୁ ପୃଥକ୍‍, କାରଣ ସେ କହନ୍ତି ‘ପଙ୍ଗୁହୋଇ ଆତ୍ମହତ୍ୟା କଲି; ମୋର ସାକ୍ଷୀ କେହି ନାହିଁ ।

 

ଏହିପରି କେତେକ ଦୃଷ୍ଟାନ୍ତ ନେଇ ଆଲୋଚନାରେ ଅଗ୍ରସର ହେଲେ ମୁଖ୍ୟତଃ ହରିହର ବାବୁଙ୍କ କବିତାଗୁଡ଼ିକରେ ଦୁଇଟି ସ୍ୱରର ସଂକେତ ସ୍ପଷ୍ଟ ହୁଏ—ଗୋଯିଏ କଳ୍ପନାର ଶାଣିତ ରୋମାଣ୍ଟିକ୍‍ ଚେତନାର, ଅନ୍ୟଟି କ୍ରୂର ନିର୍ମମ ବାସ୍ତବତାର ଆଲୋଚ୍ୟ କବିତାଗୁଡ଼ିକରେ ପ୍ରେରଣା ଅଛି; ସମ୍ବେଗ (emotion) ଅଛି । ଏଠି ତଥାକଥିତ ଆଧୁନିକତାକୁ ବଳତ୍କାର ଓ ବିକୃତ ଭାବରେ ଗ୍ରହଣ କରିବାର ପ୍ରଚେଷ୍ଟା ନାହିଁ । ତେଣୁ ଏହି ସଂକଳନଟି କବି-ମାନସର ଏକ ଶ୍ରେଷ୍ଠତମ ପ୍ରତିନିଥିତ୍ୱ ନକରି ପାରିଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଅନେକ ସମୟରେ ପ୍ରକାଶିତ ହେଉଥିବା ଗଡ଼୍‍ଡାଳିକା ପ୍ରବାହ ପରି କବିତା-ପୁସ୍ତକରେ ହଜିଯିବାର ନୁହେଁ, ବରଂ ଏହା ଏକ ଉଲ୍ଲେଖଯୋଗ୍ୟ ସଂଯୋଜନ । ପରିଶେଷରେ, ନୟନ ଲୁହର ଧାରେ ସାର୍ଥକତାରେ ପ୍ରଜ୍ୱ୍ୟୋଳ ହୋଇ ବହୁଳ ପ୍ରସାର ଲାଭ କରୁ—ଏତିକ କାମନା ।

 

ଗଙ୍ଗାଧର ମେହର କଲେଜ

ଅଧ୍ୟାପକ ନୃସିଂହ କୁମାର ରଥ

ସମ୍ୱଲପୁର

 

ତା୧୮-୨-୩

 

 

ନିଜକଥା

 

ଆଜିକାଲି ସାହିତ୍ୟ ବଜାରରେ କବିତା ବହିର ଚାହିଦା ଅଛି କି ନାହିଁ ସେ ଖବର ରଖିପାରି ନାହିଁ । ଛାତ୍ରାବସ୍ଥାରୁ କବିତା ଲେଖିବା ପାଇଁ ଆରମ୍ଭ କରିଥିଲି । କହିବାକୁ ଗଲେ ଏକପ୍ରକାର ଏହା ମୋର ପ୍ରବୃତ୍ତିଗତ । ମୋର କବିତାଗୁଡ଼ିକ ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ସମୟରେ ଲିଖିତ । ମଣିଷ ମାତ୍ରକେ ସମସ୍ତଙ୍କ ପ୍ରାଣରେ କବିତାର କଳ, କଲ୍ଲୋଳ ଝଙ୍କାର ଅନୁଭୂତ ଏବଂ ସମସ୍ତଙ୍କ ଜୀବନର କବି-ପ୍ରାଣର ସଞ୍ଚାର ହୋଇଥାଏ । ମଣିଷ ଜୀବନର ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତିକୁ ଅନ୍ତରଙ୍ଗ ଭାବେ ଉପଲବ୍ଧି କରିବା ସମସ୍ତଙ୍କର ଜନ୍ମଗତ ଅଧିକାର । କିନ୍ତୁ ଧନଲୋଭୀ ସାହୁକାର ପରି ଜୀବନର ସେହି ସମସ୍ତ ଗୋପନ ରସାସ୍ୱାଦକୁ ନିଜେ ଆତ୍ମସାତ ନକରି ନିଜର ଅନୁଭୂତି ଏବଂ କଳ୍ପନାବିଳାସକୁ ରସାଣିତ କରି ଯେ ଦୁନିଆର ସମକ୍ଷରେ ବାଢ଼ିଦେଇଥାଏ ସେ ହେଉଛି କବି, ଲେଖକ ଏବଂ ଔପନ୍ୟାସିକ । ସେହି ଅନୁଭୂତି ପରିପୁଷ୍ଟ ସୁସ୍ଥ ସାହିତ୍ୟ ଜନସମାଜକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ଯୋଗାଇଥାଏ ଏବଂ ତାହା ଉଜ୍ଜ୍ୱଳ ଧ୍ରୁବତାରକା ସଦୃଶ ସମାଜର ଗତି ନିର୍ଣ୍ଣୟ କରେ ।

 

ଯନ୍ତ୍ରସଭ୍ୟତାରେ ପ୍ରଭାବିତ ଆଧୁନିକ ସମାଜରେ ମାନବ ଜୀବନ ବାସ୍ତବବାଦୀ ହୋଇ ଉଠିଥାଇ ପାରେ । କିନ୍ତୁ ତାହା କଦାପି ଗଦ୍ୟମୟ ନୁହେଁ । ଯନ୍ତ୍ରର ଛାତିଫଟା ଚିତ୍କାର ଭିତରେ ମଧ୍ୟ ସୌନ୍ଦର୍ଯ୍ୟପିପାସା, ଭଲପାଇବା, ପ୍ରେମ ଆଦି ସରଳ ଓ ରସମୟ ଚେତନା ଅନିର୍ବାର୍ଯ୍ୟ । ତାହା ନଥିଲେ ହୁଏତ ‘ମିଛମାୟା’ର ଏ ସଂସାର ଭିତରେ ସହାବସ୍ଥାନ ଦୁରୂହ ହୋଇ ପଡ଼ନ୍ତା । ମୋର ଦୃଢ଼ବିଶ୍ୱାସ ଯେ ସମାଜର ପରିବର୍ତ୍ତନ ସଙ୍ଗେ ସଙ୍ଗେ ତା’ର ବାର୍ତ୍ତାବହ ଏବଂ ନିଚ୍ଛକ୍ ପ୍ରତିବିମ୍ୱରୂପେ ସାହିତ୍ୟ ମଧ୍ୟ ପୃଷ୍ଠ ପରିବର୍ତ୍ତନ କରିପାରେ । କିନ୍ତୁ ଏହି ପରିବର୍ତ୍ତନ କବିତାର ବିନାଶ ସାଧନ କରି ପାରିବ ନାହିଁ । ଦୁଃଖ, ଦୈନ୍ୟ ସନ୍ତାପିତ ଜୀବନ ମଧ୍ୟରେ ଯେଉଁ ଟିକିଏ ଆଶାର ଆଲୋକ ଆମ୍ଭମାନଙ୍କର ପ୍ରାଣକୁ ଉଦ୍ଭାସିତ କରୁଥାଏ ସେହି ରସାଣିତ ଚେତନାର ପରିପ୍ରକାଶ କବିତାର ରୂପନେଇ ଜଗତକୁ ଜାଦୁକରୀ ମୋହନ-ବଂଶୀରେ ମୁଗ୍ଧକରେ । ମଣିଷ ପ୍ରାଣର ଏହି କମନୀୟ ଚେତନା ଏବଂ ତା’ର ପରିବେଶକୁ ନେଇ ଯେଉଁ କବିତାର ସୃଷ୍ଟି ସେହି କବିତା ଦେହାତୀନ ଏବଂ କାଳାତୀତ ହୋଇ ସାହିତ୍ୟ ମାଧ୍ୟମରେ ଏକ ନୂତନ ଧର୍ମ ଏବଂ ଏକ ନବୀନ ତଥ୍ୟ ଉପସ୍ଥାପିତ କରିଥାଏ ।

 

ଆମର ଦୈନନ୍ଦିନ ଜୀବନର ଅତି ସାଧାରଣ ଘଟଣାବଳୀକୁ ନେଇ ଯେ ଅତି ଚମତ୍କାର ସାହିତ୍ୟ ସୃଷ୍ଟି କରାଯାଇପାରେ ତା’ର ଦୃଷ୍ଟାନ୍ତ ବିଶ୍ୱସାହିତ୍ୟରେ ବହୁଳ । କୌଣସି କବି କିମ୍ୱା ଲେଖକ ଲେଖା ଆରମ୍ଭ କରିବା ସମୟରେ ସାହିତ୍ୟକୁ ନିଜ ବାପ, ଗୋସଁବାପ ଅମଳର ଜମିଦାରୀ ବୋଲି ଭାବି ଲେଖିବାକୁ ଆରମ୍ଭ କରେ ନାହିଁ । ପକ୍ଷାନ୍ତରରେ କୌଣସି ଲେଖକ ସମାଜରେ ଗୌରବାନ୍ୱିତ ହେବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ରଖି ସାହିତ୍ୟ ସୃଷ୍ଟି କରେ ନାହିଁ; କିନ୍ତୁ ତାହାର ସାହିତ୍ୟ ଉଚ୍ଚ ଧରଣର ବୋଲି ବିବେଚିତ ହେଲେ ଗୌରବ ଆପେ ଆପେ ଆସିଥାଏ । ଯେଉଁ କବି ସ୍ପଷ୍ଟବାଦୀହୋଇ ସରଳ, ସାବଲୀଳ ସମାଜ କୈନ୍ଦ୍ରିକ ସାହିତ୍ୟ ସୃଷ୍ଟିକରେ ସେହି ନିରାଡ଼ମ୍ୱର ଏବଂ ଆବର୍ଜନାଶୂନ୍ୟ ସାହିତ୍ୟ କବି ପ୍ରାଣରୁ ନିର୍ଗତ ହୋଇ ଦୁନିଆର ପ୍ରତ୍ୟେକ ପ୍ରାଣରେ ନିଜକୁ ବିସ୍ତାର କରେ ଓ ତାକୁ ପ୍ଳାବିତକରେ, ରସାପ୍ଳୁତ କରେ ।

 

ଓଡ଼ିଆ ସାହିତ୍ୟରେ ମୋ କବିତାର ସ୍ଥାନ ନିରୂପଣ କରିବାର ଆଗ୍ରହ କିମ୍ୱା ଅଭିଳାଷ ମୋର ନାହିଁ । ପାଠକମାନଙ୍କ ସମ୍ମୁଖରେ ଯଦି କବି-ପ୍ରାଣର ଉଦବେଳିତ ଭାବଧାରାର ଶୃଙ୍ଖଳିତ ପ୍ରକାଶ, ମଧୁମୟ ଚେତନାର ସ୍ୱଚ୍ଛନ୍ଦ ଓ ସାବଲୀଳ ବିନ୍ୟାସ ଏବଂ ସୁସ୍ଥ ବିକାଶ ସାଧନ କରିପାରିଥାଏ ତାହାହେଲେ ଶ୍ରମସାର୍ଥକ ମନେକରିବି ।

 

ପରିଶେଷରେ ବକ୍ତବ୍ୟ ଏତିକି ଯେ, ଅଧ୍ୟାପକ ଶ୍ରୀ ନୃସିଂହ କୁମାର ରଥ ମୋର ପାଣ୍ଡୁଲିପି ପାଠ କରି ମୁଖବନ୍ଧ ଲେଖି ଥିବାରୁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ ।

 

ମୋର ପ୍ରିୟ ଛାତ୍ର ଦିଲ୍ଲୀପ ଶ୍ରଦ୍ଧାର ସହିତ ପାଣ୍ଡୁଲିପିର ନକଲ କାର୍ଯ୍ୟ କରିଥିବାରୁ ମୁଁ ତା’ ନିକଟରେ ଋଣୀ ।

 

ଭାଇ ବିପ୍ରଚରଣ ଓ ଶ୍ରୀ ରଘୁନାଥ ପାତ୍ର ତାଙ୍କର ଅମୂଲ୍ୟ ସମୟ ନଷ୍ଟ କରି ଅତି ଯତ୍ନର ସହିତ ବହିଟିର ନିର୍ଭୁଲ ପ୍ରକାଶନରେ ସାହାଯ୍ୟ କରିଥିବାରୁ ମୁଁ ତାଙ୍କ ନିକଟରେ ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି ।

 

ଶିଳ୍ପୀ ଶ୍ରୀ ଭୋଳାନାଥ ବାବୁ ମୋର ଅନୁରୋଧ ରକ୍ଷାକରି ପ୍ରଚ୍ଛଦ ଚିତ୍ରଣ କାର୍ଯ୍ୟ କରିଥିବାରୁ ମୋର ଅନ୍ତରର ଶ୍ରଦ୍ଧା ଜଣାଉଛି ।

 

ହରିହର ଦାସ

ସମ୍ୱଲପୁର ।

 

ସୂଚୀପତ୍ର

 

୧.

ଅମର ଆତ୍ମା

୨.

ଜୀବନ ଫଲ୍‍ଗୁ

୩.

କ୍ଷଣକର ଦେଖା

୪.

ଆତ୍ମହତ୍ୟା

୫.

ଯୌବନ ସତେକି ଲୁଣ୍ଠନ ଖାଲି

୬.

ତୁମରି ପ୍ରେରଣା

୭.

ଅମୃତର ପଥ

୮.

ପ୍ରହେଳିକା

୯.

ଆହରଣ

୧୦.

ବ୍ୟାପୃତ

୧୧.

ଜୀବନର ବେଳାଭୂମେ

୧୨.

ବିଶ୍ଳେଷଣ

୧୩.

ମୁଁ ତ ପରଶ ଚାହେଁ

୧୪.

ବିଗତ ଚିନ୍ତା

୧୫.

ଆଶାର ଆଲୋକ

୧୬.

ଆବେଗ

୧୭.

ସ୍ମୃତି ଦଂଶନ

୧୮.

ବେପଥୁ

୧୯.

ରାତ୍ରିର ମମତା

୨୦.

ନିଦ୍ରାବନତ

୨୧.

ଉତ୍ତର ସୀମାନ୍ତ

୨୨.

କମ୍ପନ

୨୩.

ଏ ରାତ୍ରିର ଦାରୁଣ ଅନ୍ଧାରେ

୨୪.

କେଉଁ ଏକ ଅଜ୍ଞାତ ରୂପସୀ

୨୫.

ଏକକ

୨୬.

ତୁମେ

୨୭.

ସର୍କସ

୨୮.

ଅବସାଦ

୨୯.

ମନେପଡ଼େ

୩୦.

ଗୋପନ କଥା

୩୧.

ଅପରାହ୍ନ

୩୨.

ନୟନ ଲୁହର ଧାରେ

୩୩.

ଏକ ସୀମାରେଖା

୩୪.

ପ୍ରତ୍ୟୟ

୩୫.

ନୂତନ ସନ୍ଦେଶ

୩୬.

ବିମଗ୍ନ

୩୭.

ଦ୍ୱିଧା

୩୮.

ପରାଣ ଦେବତା

୩୯.

ସୁଖ ଯଦି ଭଲ ଲାଗେ

୪୦.

ସଞ୍ଚୟ

୪୧.

ବୁଝିକି ପାରିଲ ତାର ଅନ୍ତର କଥା

୪୨.

ବୁଝିଲା ଅନ୍ତର ଯିଏ

୪୩.

ପ୍ରଣୟ ଚୋର

୪୪.

ମଳୟ ଦିଅନା ବାଧା

୪୫.

ବିଦାୟ ବେଳେ

୪୬.

ପ୍ରଥମ ଚୁମ୍ୱନ

୪୭.

ମଡେଲ

୪୮.

ତମାଳ ତରୁର ତଳେ

୪୯.

ରଜନୀ ଶେଷରେ

୫୦.

ସ୍ୱପ୍ନର ପ୍ରାରମ୍ଭ

୫୧.

ପ୍ରଶ୍ନ କରେ

୫୨.

ମରମ କଥା

୫୩.

କ୍ଷଣିକ ସମ୍ଭୋଗ

୫୪.

ମଧୁରାତି

୫୫.

ବିରହ ରାଗରେ

୫୬.

ଗୋଟିଏ ଉତ୍ତର

୫୭.

ଆତ୍ମ ବିସ୍ମରଣ

୫୮.

ସନ୍ଧାନ

୫୯.

ସନ୍ଦର୍ଶନ

୬୦.

ଅବଶେଷ

୬୧.

ମୀମାଂସା

୬୨.

ଚନ୍ଦ୍ର ଦିନେ ଉଠିଥିଲା ନିମର ପଛରେ

୬୩.

ଅଶ୍ରୁଳ ସମ୍ବେଗ

୬୪.

ଅସୀମ ଯାମିନୀ

୬୫.

ଜୀବନ ଦର୍ଶନ

୬୬.

ଚାରୋଟି କବିତା

୬୭.

ଫୁଲ

 

ଅମର ଆତ୍ମା

 

ବିସ୍ତୀର୍ଣ୍ଣ ପ୍ରାନ୍ତରର ଏକ ଘାସ ଫୁଲ ପରି

ସନ୍ଧ୍ୟାରେ ଫୁଟି ଆଉ ସକାଳର ପରଶରେ ଝରି

ତୁମେ ଯେବେ କରିପାର ପ୍ରେମ

ପୃଥିବୀର ସୁଖ ଆଉ ସମ୍ଭୋଗକୁ

ସୁକୋମଳ ଘାସ ପତ୍ର ପରେ ଶିଶିରର ପ୍ରାଣ ଘେନି

ରଚି ପାର ତୁମେ ଯଦି ମିଳନର ଅପୂର୍ବ ରାଗିଣୀ

ଚାହିଁପାର ବନ୍ଧନର ଅମର ତତ୍ତ୍ୱକୁ

କ୍ଷୟରୋଗୀ ଦେହର ଭିତରେ ବିକୃତ ଯନ୍ତ୍ରଣା ଘେନି

ତୁମେ ଯେବେ ବଞ୍ଚିବାକୁ ଭଲ ପାଇପାର

ଅମୃତମୟ ତେବେ ନିଶ୍ଚେ ଏ ସଂସାର ।

 

6th February, 1960, Lucknow.

 

ଜୀବନ ଫଲ୍‍ଗୁ

 

ପିଇଯିବା ଆମେ ଚନ୍ଦ୍ରର ନୁହେଁ ଶିଶିରର ମଧୁକଣା

ଏଇ ଯନ୍ତ୍ର ସଭ୍ୟତାର ବହୁଦୂରେ

କେଉଁ ଅଜ୍ଞାତ ପଲ୍ଲୀର କୋଳେ

ମିଶିଯିବା ଆମେ ଦୁଇଟି ଆତ୍ମା ଦୁଇଟି କପୋତ ପରି

ଜୀବନ-ଫଲ୍‍ଗୁ ଯେଉଁଠି ବହଇ

ଶାନ୍ତିର କୋଳାହଳେ,

ଦୁର୍ବାର ଏହି ଯନ୍ତ୍ର ଯାତନା ଯେଉଁଠି ଯାଅଇ ମରି

ଉଡ଼ିଯିବା ଆମେ ଦୁଇଟି କପୋତ ପରି

ଯୁଗ ଯୁଗ ଧରି ମାନବ ଯେଉଁଠି ବଞ୍ଚିଛି ଆହ୍ଲାଦେ

ଭରି ଦେଇ ତାର ସ୍ନିଗ୍ଧ ଜୀବନ ପ୍ରକୃତି ପରସାଦେ

ସିଞ୍ଚି କରୁଣା ବାରି !

ବନ୍ଧନ ସବୁ ଛିଣ୍ଡାଇ ଆସ ଚାଲିଯିବା ସେଇ ପୁରେ

ଯେତେକ ଦୁଃଖ ଅବସାଦ ମୋର ହଟିଯାଉ ଆଜି ଦୂରେ

ପ୍ରଜ୍ଞାର ଡେଣା ପାରି

ଉଡ଼ିଯିବା ଆମେ ଦୁଇଟି କପୋତ ପରି ।

 

10th February, 1960, Lucknow.

 

କ୍ଷଣକର ଦେଖା

 

କ୍ଷଣକର ଦେଖା ପୁଣି କ୍ଷଣକର ଅନୁଭୂତି

ଦେଇଗଲ ହୃଦେ ମୋର କି ନବ ଜାଗୃତି ।

ଭାବେ ଦେଖିଅଛି କାହିଁ ପୁଣି ଭାବେ ନାହିଁ

ପୁଣି କି ନବ ଆବେଗେ ରହେ ଖାଲି ଚାହିଁ ।

ଚନ୍ଦ୍ର ଦେହୁ ଆସିଛିକି ଜ୍ୟୋଚ୍ଛନାର ମଧୁ

କୁସୁମ ଉଦ୍ୟାନେ କିବା ଖେଳେ ନବ ବଧୂ ।

ବିତିଛି ସେଦିନ କାହିଁ ଝରିଛି କଳ୍ପନା

ତୁମକୁ ଦେଖିଲେ ଆଉ ସ୍ପନ୍ଦନ ଜାଗେନା ।

ପୁରାତନ କେଉଁ ଏକ ଅଟ୍ଟାଳିକା ପରି

ରହିଅଛି ପାଖେ ପାଖେ ଦିବସ ଶର୍ବରୀ ।

ହଜିଅଛି ହସ ତୁମ ମରିଅଛି ମନ

ଚଞ୍ଚଳ ଚପଳ ନାହିଁ ତୁମରି ନୟନ ।

ତୁମେ ଯେତେ ଜଳିଅଛ ସମୟ-ଶ୍ମଶାନେ

ସେତେ ଖାଲି ମନ ମୋର ଚାହିଁଅଛି ଆନେ ।

କହିକି ପାରିବ ତୁମେ ଶେଷ ପରିଣତି

ତନିମାର ପଛେ କିଆଁ ଧାଏଁ ଖାଲି ମତି ?

 

15th January, 1960, Lucknow.

 

ଆତ୍ମହତ୍ୟା

 

ଲୋଡ଼େନା ମୁଁ ବୁଲିବାକୁ ନନ୍ଦନର ବନେ

ଚାହେଁନା ମୁଁ ରହିବାକୁ ଦ୍ୱିତଳ ଭୁବନେ,

ଲୋଡ଼େନା ମୁଁ ଭୋଗିବାକୁ କୁବେର ଭଣ୍ଡାର

ଲୋଡ଼ାନାହିଁ କେବେ ମୋର ପ୍ରଶଂସାର ଭାର ।

ସୁଖ ସ୍ୱପ୍ନ ଗଢ଼ିବାକୁ ନାହିଁ ମୋର ଆଶା

ନ ଚାହେଁ ମୁଁ ଶୁଣିବାକୁ କାର ମଧୁଭାଷା

ଚାହେଁ ନା ମୁଁ ଭାଷିବାକୁ ପ୍ରଣୟର ଜଳେ

ଲୋଡ଼େ ନାହିଁ ସ୍ନେହ ଶ୍ରଦ୍ଧା ଏହି ଧରା ତଳେ ।

ଲୋଡ଼ା ମୋର ସାହାରାର ରୁକ୍ଷ ତପ୍ତ ବାଲି

ପୋଡ଼ୁ ମୋର ପାଦଦୁଇ ତା’ ଉପରେ ଚାଲି

ଜଳୁ ନିତି ଅନାହାରେ ମୋହର ଜଠର

ଏପରି ତ ଦୁନିଆରେ ଅଛନ୍ତି ଅପାର ।

ଲୋଡ଼େ ମୁହିଁ ଭୋଗିବାକୁ ମୁଣ୍ଡଫଟା ଖରା

ସହିଯାଉ ଦେହ ମୋର ଶ୍ରାବଣ ଅସରା

ଚାଲିଯାଉ ଶୀତ ମୋର ଏହି ପିଠିପରେ

କଳ୍ପନା-ବିଳାସ ମରୁ ରୁକ୍ଷଧରା ତଳେ ।

ମୁଣ୍ଡପରେ ଲଦିହେଉ ବୀପଦର ବୋଝ

କରନାହିଁ କେହି ମୋର ଗତିପଥ ରୋଧ

ଚାଲିଛି ମୁଁ ଚାଲିଥିବି ଏହି ପଥପରେ

ସୁଖ ଯହିଁ କ୍ଷଣିକରେ ମୃତ୍ୟୁ ରୂପ ଧରେ ।

ଦୁଃଖ-ଶବ ବୋହି, ବୋହି, ବିବେକର କାନ୍ଧେ

ଜୀବନ-ସଂଗ୍ରାମ ଭୂମେ ସାହସ ମୁଁ ବାନ୍ଧେ

ନଲୋଡ଼ି ଆଲୋକ ମୁହିଁ ଚାଲଇ ତିମିରେ

ପ୍ରତିହତ ହୁଏ ନାହିଁ ମମତା-ସମୀରେ ।

ସତତ ଛିଣ୍ଡାଇ ଦେଇ ମମତାର ଜାଲ

ଶାନ୍ତି ମୁକ୍ତି ସତ୍ୟର ମୁଁ ଜାଳିବି ମଶାଲ

ଜଳି ସେହି ମଶାଲର ଦୀପ୍ତ ବହ୍ନିପରେ

ବିଳାସ-ପତଙ୍ଗ ସବୁ ଚାଲିଯିବେ ଦୂରେ ।

 

September, 1958, Cuttack

 

ଯୌବନ ସତେକି ଲୁଣ୍ଠନ ଖାଲି

 

ଆଦ୍ୟ ମାର୍ଗଶୀର ଜ୍ୟୋଚ୍ଛନାର ସାଥେ

ଆଣିଥିଲ ତୁମେ କେତକୀ ହାସ

ହୃଦୟ କନ୍ଦରେ ଅନଳ ଲଗାଇ

ଦେଇଗଲ କେତେ ଅଯଥା ପ୍ରାସ ।

ଆଣିଥିଲ ତୁମେ ମନ୍ଦାର ଅଧର

କଜଳ ରଞ୍ଜିତ ଚାରୁ ଚିକୁର

ମୃଗୁଣୀ ନୟନ ତିଳ ଫୁଲ ନାସ

ହୃଦୟ ସମ୍ପଦ କରିଲ ଜ୍ୱର ।

ଯୌବନ ସତେକି ଲୁଣ୍ଠନ ଖାଲି

ପ୍ରଣୟର ଏକ ସଉଦା ସ୍ଥାନ

ନେବ ଜଣେ ତାହା ଧନ ବିନିମୟେ

ତୁମେ ଆନନ୍ଦରେ କରିବ ଦାନ ?

ଶଯ୍ୟା ସଙ୍ଗରେ ତନୁକୁ ମିଶାଇ

ଭୁଲିଗଲ ତୁମେ ଜୀବନ ଦୁଃଖ

ଅଧରରୁ ଯେତେ ମଧୁ ନେଇ ମୋର

ଚୋରି କରି ଗଲ ସମସ୍ତ ସୁଖ ।

ସଂସାର-ମରୁର ବାଲୁରେଣୁ ସାଥେ

ମିଶିଯିବା ଆମେ ଗୋଟିଏ ଦିନ

ତେତେ ଯେ କେଉଁଠୁ ଆସି ଚାଲିଗଲେ

କାହିଁ ତ କାହାର ନଅଛି ଚିହ୍ନ ।

ତେବେ ଗୋ କିପାଇଁ ପ୍ରଜାପତି ପରି

ଘୂରି ବୁଲ ତୁମେ ସହସ୍ର ପ୍ରାଣେ

କେତେ ହୃଦ କହ ବିଦ୍ଧ କରିବ

ତୀକ୍ଷ୍ଣ ତୁମର ତନିମା ବାଣେ ?

 

20th January, 1960, Lucknow.

 

ତୁମରି ପ୍ରେରଣା

 

ତୁମେ ଜ୍ଞାନ ବିଜ୍ଞାନ ସରସ କଳ୍ପନା

ତୁମେ ସୁସ୍ଥ ମସ୍ତିସ୍କେ ନୀରବ ପ୍ରେରଣା

ଜୀବନ ଓ ସୃଷ୍ଟିର ଅବିଚ୍ଛେଦ୍ୟ ଧାରା

ହୃଦୟ ଓ ପ୍ରାଣର ତୁମେ ଅଟ କାରା

ଅନ୍ତର ସଲୀଳେ ମୋର ସୁରଭି କମଳ

ହୃଦୟ-ଗଗନେ ମୋର ଚନ୍ଦ୍ରମା ବିମଳ

ଜୀବାତ୍ମା ମଧ୍ୟେ ତୁମେ ପରମର ଭାବ

ପ୍ରଳୟ କରେ ସୃଷ୍ଟି ତୁମରି ଅଭାବ

ତୁମେ ପ୍ରାଣର ପୁଞ୍ଜୀଭୂତ ସରସତା

ବିରହାକୂଳ ହୃଦୟର ଆକୁଳତା

କବିର କବିତା ତୁମେ ଅମର ସାହିତ୍ୟ

ବିବେକୀ ବିବେକ ତୁମେ ଜ୍ଞାନୀର ପାଣ୍ଡିତ୍ୟ

ଚିରନ୍ତନ ଅଟ ତୁମେ ଅନ୍ୟ ସବୁ ମର

ଜ୍ଞାନର ଆକର ତୁମେ ସତ୍ୟ ଓ ସୁନ୍ଦର ।

ପଦେ ପଦେ ହୋଇଅଛି ମୁହିଁ ବାଟ ବଣା

ପ୍ରତିକ୍ଷଣ ପାଏ କିନ୍ତୁ ତୁମରି ପ୍ରେରଣା ।

 

15th March, 1960, Lucknow.

 

ଅମୃତର ପଥେ

 

ଅମୃତ ସନ୍ଧାନୀ ହୁଅ ଅମୃତ ସନ୍ତାନ

ଶାନ୍ତି ବାର୍ତ୍ତା ଦିଅ କର ସତ୍ୟର ଆହ୍ୱାନ

ଅଶେଷ ଆଶ୍ଳେଷ କରି କରୁଣା ଭାବରେ

ଭରିଦିଅ ହୃଦୟକୁ ହାର୍ଦ୍ଦିକ ପ୍ରେମରେ ।

ମିଶିଯାଉ ମୋର ଆତ୍ମା ସେହି ଆତ୍ମା ସାଥେ

ମିଶିଯାଉ କଳେବର ଅମୃତର ପଥେ

ବିରହ ବିଧୁର କେତେ କରୁଣ କ୍ରନ୍ଦନ

ମୂର୍ତ୍ତିମତୀ ହୋଇ କରୁ ମୋ ଶିରେ ନର୍ତ୍ତନ ।

ଜଗତର ଯେତେ ଦୁଃଖ ଭରିଯାଉ ଦେହେ

ସନ୍ତାପିତ ଜନେ ମୁହିଁ ବରି ନେବି ସ୍ନେହେ

କ୍ଷୁଧା, ତୃଷା, ବିଭୀଷିକା ଯେତେକ ଜଞ୍ଜାଳ

ନେଇଯିବି ସଙ୍ଗେ ମୋର ଦାରିଦ୍ର୍ୟ କରାଳ ।

ଖେଳିଯାଉ ଧରା ବକ୍ଷେ ନନ୍ଦନ ସୁଷମା

ହୋଇଯାଉ ଦୂର ଯେତେ କଷଣର ଅମା

ଫେରିବି ମୁଁ ପୁଣି ଥରେ ମୋ ପ୍ରିୟ ପୃଥିବୀ

ଯେ’ଦିନ ବହିବ ଏଥି ଶାନ୍ତିର ଜାହ୍ନବୀ ।

 

15th October, 1961, Sambalpur.

 

ପ୍ରହେଳିକା

 

କାହିଁକି କରିବା ଜୀବନର ଜୟ ଗାନ

ମୃତ୍ୟୁ ଯଦି ଗୋ ମଧୁର ତାହାଠୁ ବଳି

ମିଳନ କାହିଁକି ଲୋଡ଼ିବା ଆମେ ଗୋ

ବିରହ ମର୍ଯ୍ୟାଦା ଯଦି ନପାରିବା କଳି ?

ନର୍କ ଆମର କାମ୍ୟ ଆମେ ଗୋ ରହିବା ତହିଁ

ସ୍ୱର୍ଗ କି ହେବ ଲକ୍ଷ କଷଣ ରହିଛି ଯହିଁ ।

 

12th November, 1961, Sambalpur.

 

ଆହରଣ

 

ଜ୍ଞାନମୋତି ପାଇବା ଗୋ ଆମେ

ମୂର୍ଖତାର ସାମୁକାକୁ ଚିରି

ମେଘପାଶେ ଘୂରି ନିଶି ଯାମେ

ଚପଳାକୁ ଆଣିବା ଗୋ ଧରି ।

 

ଶରୀରର ଭିତରେ ଖୋଜି ଖୋଜି

ପାଇବା ଆତ୍ମାର ସନ୍ଧାନ

ନିଶୀଥର ବକ୍ଷ ଚିରି ଆମେ

ସଞ୍ଚିବା ସୂର୍ଯ୍ୟ ରଶ୍ମିମାନ ।

 

ରାକ୍ଷସ ଭିତରେ ଆମେ ଦେଖିବା ଦେବତା

ପାପର ଶରୀରେ ସର୍ବ ଧର୍ମ ସରସତା

ମିଥ୍ୟାର ମୁଖରୁ ଆଦରିବା ସତ

ଏହା ହେବ ଆମ ଜୀବନର ବ୍ରତ ।

 

6th November, 1961, Sambalpur

 

ବ୍ୟାପୃତ

 

ତୁମକୁ ମୁଁ ଦେଖିଅଛି ମୋ ଭିତରେ ବିରହ ଗୀତରେ

ମରଣର ଶେଷ ଆଉ ଜୀବନର ପ୍ରାରମ୍ଭ ଭିତରେ

ଭ୍ରାନ୍ତ ମାନବ ଯହିଁ ପଥ ଭୁଲି ହୁଏ ପଥହରା

ତୁମକୁ ଦେଖିଛି ତହିଁ ପଥ ତାକୁ ଦେଖାଇଛ ତ୍ୱରା ।

ଅଜ୍ଞାନତା ଅନ୍ଧକାରେ କିଏ କେବେ ହାରିଲେ ସାହସ

କ୍ଷଣକରେ ଜ୍ଞାନ ଦେଇ ତାର ମୁଖେ ଫୁଟାଇଛ ହସ

ଆଶ୍ୱାସ ମୁରଲୀ ସ୍ୱନେ ଜଗତକୁ ଦେଇଛ ସାନ୍ତ୍ୱନା

ସନ୍ଦେହୀ ସନ୍ଦେହହାରି ନେଇଅଛି ସମସ୍ତ ଶୋଚନା ।

ଅକ୍ଷୟ ଦୁର୍ଜୟ ତୁମେ ଜଗତର ଶାନ୍ତି ବାର୍ତ୍ତାବହ

ନିତ୍ୟ ନୂତନ ତୁମେ ରଚ ଏଥି ମିଳନ ବିରହ

ପ୍ରଣୟୀର ପ୍ରଣୟରେ ଦେଇଅଛ ସଙ୍ଗୀତ ମୂର୍ଚ୍ଛନା

ପ୍ରେମିକର ହୃଦୟରେ ଭରିଅଛ ପ୍ରେମର ଅର୍ଚ୍ଚନା ।

ତୁମକୁ ମୁଁ ଦେଖିଅଛି କ୍ଷୁଧାର୍ତ୍ତର ହୃଦଫଟାକରୁଣ ଚିତ୍କାରେ

ଦାମ୍ଭିକର ଦାମ୍ଭିକତା ଆତ୍ମଶ୍ଳାଘା ତାତ୍ସଲ୍ୟ ଫୁତ୍କାରେ

ତୁମକୁ ମୁଁ ଦେଖିଅଛି ଦୟାଳୁର ସ୍ନେହଭାରା ସହାନୁଭୂତିରେ

ସ୍ଥିତପ୍ରଜ୍ଞ ଅନୁଭୂତି ସହଜ ତା ବୁଦ୍ଧିର ଭିତରେ ।

ସୁଗନ୍ଧିତ କୁସୁମର ଗନ୍ଧେ ମୁହିଁ ଦେଖିଛି ତୁମକୁ

ପ୍ରକୃତିର ଅମର ସଙ୍ଗୀତେ ଶୁଣିଅଛି ତୁମରି ଗୀତକୁ

ବିରାଟର ବିସ୍ତୃତି ଓ ଅସୀମର ଆକୃତି ଭିତରେ

ତୁମକୁ ଦେଖିଛି ମୁହିଁ ଧନିକର ଗଚ୍ଛିତ ବିତ୍ତରେ ।

 

12th December, 1961, Sambalpur

 

ଜୀବନର ବେଳାଭୂମେ

 

ଛନ୍ଦିଦେଇ ତନୁ ତବ ଏ ବାହୁର ସୁଦୃଢ଼ ବନ୍ଧନେ

ଶୁଣିଥିଲା ମୋ କବିତା ହୃଦୟର ତନ୍ତ୍ରୀର ସ୍ପନ୍ଦନେ

ମନର ବୀଣାରେ କରି ଆଘାତ ମଧୁର

ବିତାଇଲ ନିଶୀଥର ପ୍ରଥମ ପ୍ରହର ।

 

ଶ୍ୟାମଘନ ନଇଁକରେ ରାଧାସମ ଚନ୍ଦ୍ରେ ଆଲିଙ୍ଗନ

ବାତାୟନେ ଦେଖି ମନେ ଜାଗଇ କମ୍ପନ

ଆବଦ୍ଧ ରହିଲି ତୁମ ବକ୍ଷସ୍ଥଳ କୋମଳ ଗହନେ

ଅଳି ଯେହ୍ନେ ଦିଏ ଧରା କମଳିନୀ ଦଳର ବନ୍ଧନେ ।

 

ଜୀବନର ବେଳାଭୂମେ ସେ ଗୋଟିଏ ସୁଖର ରଜନୀ

ସେ ସ୍ମୃତି ରହିବ ମନେ ଯେତେଦିନ ଥିବ ଏ ଅବନୀ

ଦୁଃଖ ତାମସ ମଧ୍ୟେ ସେ ଗୋଟିଏ ଶାନ୍ତିର ମୁହୂର୍ତ୍ତ

ତୃପ୍ତି ସୁଧା ଲଭେ ଆତ୍ମା ପ୍ରାଣ ହୁଏ ନାହିଁ ଆର୍ତ୍ତ ।

 

20th November, 1961, Sambalpur

 

ବିଶ୍ଳେଷଣ

 

ମୁଁ ସ୍ୱପ୍ନ ଦେଖେ ପ୍ରେମଭରା କଥା ବସ୍ତୁ

ଅଭିନୟ ମିଳନ ବିରହ

କେତକୀ କାନନ ପୀଠେ ଘୂରିଅଛି

ପ୍ରେମିକାର ସଙ୍ଗେ ଅହରହ ।

ସ୍ୱପ୍ନ ଦେଖେ ଆସିଅଛି ମଧୁ ଜହ୍ନରାତି

ମନପ୍ରାଣ ମିଳନର ବେଳା

ପିଇଅଛି ତରୁଣୀର ରକ୍ତିମ ଅଧର

ପାଇ ତାକୁ ଏକାନ୍ତ ନିରୋଳା ।

ସ୍ୱପ୍ନ ଭାଙ୍ଗେ ବବାଧର ଫିକା ପଡ଼ିଯାଏ

ପୋଡ଼ିଯାଏ ଦେହ ସଙ୍ଗେ ମନ

ଚେଷ୍ଟାକରେ ପାଏ ନାହିଁ ତଥ୍ୟ

କଲେ ସୁଦ୍ଧା ଯେତେ ବିଶ୍ଳେଷଣ ।

 

16th September, 1961, Sambalpur.

 

ମୁଁ ତ ପରଶ ଚାହେଁ

 

ହୋଇଥାନ୍ତି ଯଦି କୁସୁମ ମତେ ଧରା ସୁନ୍ଦରୀ

ବାରମ୍ୱାର ଗାଢ଼ ଚୁମ୍ୱନେ ମୁଖ ଦିଅନ୍ତା ଭରି

ଥର, ଥର, ମୋର ସୁବାସ ମୁଦେ କରି ଆଘ୍ରାଣ

ଅପୂର୍ବ ସ୍ୱର୍ଗୀୟ ଆନନ୍ଦେ ପୂର୍ଣ୍ଣ କରନ୍ତା ପ୍ରାଣ

ନେଇ ମତେ ଅତି ଯତନେ ସାଜି ତାର କବରୀ

ସୁଷମା ସମ୍ପଦ ଅଜାଡ଼ି ଦେଉଥାନ୍ତା ସୁନ୍ଦରୀ

ମାଳା କରି ଗଳେ ପିନ୍ଧନ୍ତା ପାଇ ସେହି ପରଶ

ଯୁଗ ଯୁଗ, ପାଇଁ ଭୁଲନ୍ତି ମୁହିଁ ବାସ୍ତବ ବିଷ

ସେ ଫୁଲ ପରଶ ଲାଭରେ ପଟପରି ନିସ୍ତରି

ଜୀବନକୁ ଧନ୍ୟ ମଣନ୍ତି ସବୁ ଦୁଃଖ ବିସୋରି

କି ଲାଭ ଏ ନର ଦେହରେ ଯାହା ବିରହେ ଜଳେ

କି ଲାଭ ସଂସାରେ ଯେଉଁଠି ଦୁଃଖ ସୁଖକୁ ବଳେ

ନର ଦେହଠାରୁ କୁସୁମ କିବା ଉତ୍ତମ ନୁହେଁ

କିଛି କାମ୍ୟ ନାହିଁ ମରତେ ମୁଁ ଯେ ପରଶ ଚାହେଁ

 

9th September, 1961, Sambalpur.

 

ବିଗତ ଚିନ୍ତା

 

ସେହିପରି ଆସେ କେତେ ଜ୍ୟୋଚ୍ଛନାର ରାତି

ସେହିପରି ପଡ଼ିଅଛି ବାଲିର ଗାଲିଚା

ନୂପୁର ନିକ୍ୱଣ କିନ୍ତୁ ଶୁଭୁ ନାହିଁ ଆଜି

ଫଳ ପୁଷ୍ପେ ଭରି ନାହିଁ ଯୌବନ-ବଗିଚା ।

ବଂଶୀ ବାଜେ ଝାଉଁ ବନେ ସାଗର କମ୍ପନେ

ମଳୟର ପରଶରେ ପ୍ରଳୟ ଜଗାଇ

ତୁମେ କିନ୍ତୁ ଯୁଗେ ଯୁଗେ ରହିଛ ମଉନେ

ପଦେ କଥା କହ ନାହିଁ ଅଧର ଥରାଇ ।

ପୃଥିବୀରେ ଶହ ଶହ ଆସିଛି ବସନ୍ତ

ଶୁଷ୍କ ହୃଦେ ଖେଳାଇଛି ପ୍ରେମର ଆହ୍ଲାଦ

ମୁଁ ଦେଖିଛି ତୁମ ଚିନ୍ତା ହୁଏ ନାହିଁ ଅନ୍ତ

ହୁଏ ନାହିଁ ଦୂର ତିଳେ ତୁମରି ବିଷାଦ ।

ଚଞ୍ଚଳ ଚରଣ ଆଜି ନୀରବ ନିଷ୍ଠୁର

ନୀରବତା ଭଜିଅଛି ଚପଳ ଅଧର

ଖାଇଅଛି ଚିନ୍ତା ତୁମ ହୃଦୟ କୋଟର

ହଜି ଅଛି ଚନ୍ଦ୍ରମୁଖୁ ସୁଷମା ସମ୍ଭାର ।

ମନେ ପଡ଼େ ଜୀବନର ଗୋଟିଏ ରଜନୀ

ଝାଉଁବନେ ଝଡ଼ ଆସି କରିଲା ବିଧୁର

ତୁମ ତାଳେ ତାଳ ଦେଇ ନାଚିଲା ଅବନୀ

ଖେଳି ଖେଳି ତୁମ ସଙ୍ଗେ ହିଲ୍ଲୋଳେ ସାଗର ।

ଚନ୍ଦ୍ରକିତ ଧରାତଳେ ମୃଦ୍ଦଙ୍ଗର ତାଳେ

ତୁମ ସଙ୍ଗେ ନାଚିଥିଲା ମୋ ମନ ଉତ୍ତାଳେ

ଏକାକୀ ହୋଇଲ ଜାଣି ଅନ୍ୟ କେ ନର୍ତ୍ତକୀ

ଆସିଲା ସେ ବେଢ଼ା ମଧ୍ୟୁ ନାଚି ଏହି କାଳେ ।

ନିରଳସ ଭଙ୍ଗୀ ସହ ତନ୍ଦ୍ରିଳ ଚାହାଣି

ଫୁଟେ ପ୍ରତି ପଦ ପାତେ ଶତ ଶତ ଦଳ

ମସୃଣ ସେ କଳେବରେ ନବୀନ ଯୌବନ

ପଲକ କମ୍ପନେ ଭାଙ୍ଗେ ହୃଦୟର ବଳ ।

ଜ୍ୟୋଚ୍ଛନା ମଳିନ ହୁଏ ଚନ୍ଦ୍ର ଯାଏ ଲୁଚି

ପ୍ରାଣବନ୍ତ ହୁଏ ତହିଁ ପାଦପ ପାଷାଣ

ଆଜାନୁଲମ୍ୱିତ ବେଣୀ ଚକ୍ରାକାରେ ଫେଇ

ତୁମେ ଯେବେ ବିଦ୍ଧକର ନୟନର ବାଣ ।

ମଉନେ ରହିଛ କିଆଁ ଡାକଇ ଜ୍ୟୋଚ୍ଛନା

ବସନ୍ତ ଆଣିଛି ତାର ଫୁଲର ସମ୍ଭାର

ଝାଉଁବନ ତୋଳିଅଛି ବୀଣାର ଝଙ୍କାର

କେତେବେଳୁ ନୃତ୍ୟ ଦେଖ କରୁଛି ସାଗର ।

ଯେ ନଦୀ ଯାଇଛି ମରି ସାଗର ବକ୍ଷରେ

କାଳ ଗର୍ଭେ ମିଶିଅଛି ଯେ ମହାନଗରୀ

ତୁମ ନୃତ୍ୟେ ଆଣି ଦିଅ ତା’ ଦେହେ ଜୀବନ

ତାଳେ ତାଳେ ନାଚି ଉଠୁ ଏକାନ୍ତ ଶର୍ବରୀ ।

 

15th July, 1962.,Sambalpur.

 

ଆଶାର ଆଲୋକ

 

ମନର ତରଙ୍ଗ ଯେବେ

ବୃତ୍ତ କାଟି ଚାଲି ଥିଲା ଜୀବନ-ସାଗରେ

ଶୁଣିଅଛି ହାତଠାରି ଡାକିଥିଲ

ତୁମେ ମତେ ଦରିଆ ସେପାରେ ।

ଜୀବନର ସୀମା ବଦ୍ଧ

ଭାଙ୍ଗି ଯେବେ ଆସିଥିଲା ଦୁଃଖର-ଜୁଆର

କୁନି କୁନି ଏ ହାତରେ ସେ ଜୁଆର

ରୋକିବାକୁ ତୁମେ ଆଗୁସାର ।

ପଣତ କାନିର ତଳେ

ଆଶ୍ରାଦେଇ ବରିନେଲ ଯେତେକ ସନ୍ତାପ

ନୀଳକଣ୍ଠ ପରି ତୁମେ ପାନ କଲ

ସବୁ ମୋର ବିଷ-ଅଭିଶାପ ।

କୃଷ୍ଣଚୂଡ଼ା କବରୀରେ

ପଲାଶର ବନେ ବନେ ଜୀବନର ରଙ୍ଗ

ବୋଳିଦେଇ ପ୍ରକୃତିକୁ ବସନ୍ତର–

ପରଶରେ କରିଲ ଅନଙ୍ଗ ।

ତଥାପି ଆସିଛି ସଖୀ

ଆଜି ପୁଣି ଜୀବନରେ ପ୍ରଳୟ ତାଣ୍ଡବ

ଜାଳି ଜାଳି ଆଜି ମତେ ସର୍ବଗ୍ରାସୀ–

ଦାବାନଳେ କରିଛି ଖାଣ୍ଡବ ।

ଖୋଜି ଖୋଜି ବୁଲୁଅଛି

କିଏ ମତେ ଦେବ ଶାନ୍ତି ଦେବଗୋ ପରଶ

କିନ୍ତୁ ଖାଲି ବୃଥା ହେବ ଆଶା ମୋର

ବିତିଯିବ କେତେ ଯେ ବରଷ ।

 

12th January, 1963, Sambalpur.

 

ଆବେଗ

 

ମୋ ଦେହେ ଲାଗିଛି ଆଜି ବସନ୍ତ ପରଶ

ମନେ କେତେ ନୂଆ ରଙ୍ଗ ଅଧରରେ ହସ

ବିକଶିତ ଫଳ ପୁଷ୍ପ ନବ କିଶଳୟ

ଜୀବନ-କାନନେ ଆଜି ବହୁଛି ମଳୟ

ପୁରାତନ ଯାଇଅଛି ନୂତନ ଆଗମେ

ଖୋଜିଛି ଆଶ୍ରୟ ପ୍ରାଣ ଜୀବନ-ସଂଗମେ

ନାହିଁ ଯହିଁ ଆବିଳତା କୁଣ୍ଠିତ ପ୍ରଣୟ

ସେହି ସ୍ଥଳେ ଜୀବନକୁ କରି ମଧୁମୟ

ପ୍ରକୃତି ହସୁଛି ଆଜି ମୋହରି ଅଧରେ

ଝରଣା ଗାଅଇ ଗୀତ ଅମୃତ କଣ୍ଠରେ

ସାଗର ତୋଳିଛି ଆଜି ହସର ତୋଫାନ

ମଦମତ୍ତ ଧରା ଦେଖ କରି ସୁରାପାନ

ଧୂଳି ଧ୍ୱସ୍ତ ଏହି ବୀଣା ତୋଳିଛି ଝଙ୍କାର

ରହି ରହି ଉଚ୍ଚ ସ୍ୱରେ ଶୁଭୁଛି ଓଁକାର

ମଣିଷର ମନେ ଦେଖ ଜାଗିଛି ଦେବତା

ପାଷାଣ ମୁଖରୁ ଫୁଟେ ସୁମଧୁର କଥା ।

 

21st August, 1962, Sambalpur.

 

ସ୍ମୃତି ଦଂଶନ

 

ଏ ରାତିର ରଜତ ବିସ୍ତୃତି

ପୃଥୁଳ ଜହ୍ନର ଚାରୁ ଚମ୍ପକ ଦେହରେ

ତୁମ କୋଳେ ହଜିଲା ମୋ ସ୍ମୃତି

ଚନ୍ଦ୍ରମା ଲୁଚିଲା ଯେବେ କବରୀ ଭିତରେ ।

ଜହ୍ନ ଆଉ ନାହିଁତ ଆକାଶେ

କବରୀରୁ ମୁକ୍ତ ହୋଇ ଦେଖିଲି ଆବେଗେ

ଧରା ହସେ ନୂତନ ପ୍ରକାଶେ

ବିଦାୟ ମାଗିଲି ମୁହିଁ ଯିବାପାଇଁ ବେଗେ ।

ଆଜି ପୁଣି ସେଦିନର ଜହ୍ନ

ଖେଳୁଛି ଆକାଶେ ଖୋଲି ମେଘର କବରୀ

ଗାଲେ ତାର ପୃଥୁଳ ଚୁମ୍ୱନ

ମନେପଡ଼େ ଖାଲି ସେହି ବିଗତ ଶର୍ବରୀ ।

 

7th November, 1958, Cuttack

 

ବେପଥୁ

 

ମଣିଷର ପ୍ରଶ୍ନକରାମନ ପ୍ରଶ୍ନ ଯେବେ କରେ ନାହିଁ

ଗତାନୁଗତିକ ଭାବେ ମାନି ନିଏ ପ୍ରଚଳିତ କଥା

ଜୀନ ରାସ୍ତାର ଛକେ ବିଚଳିତ ହୁଏନାହିଁ ଯେବେ

ବେପଥୁ ଚାଲଇ ରାସ୍ତା ଭୁଲିସବୁ ମର୍ମନ୍ତୁଦ ବ୍ୟଥା

ଅଲରା ସୂତାକୁ ଧରି ଖୋଜୁଥାଏ ଜୀବନର ଖିଅ

ପାଇବାକୁ ସେଥୁ ଟିକେ ଜୀବନର ଲୁଣ୍ଠିତ ଆସ୍ୱାଦ

ଅମାନିଆ ମନଗୋଟା ଉଦବେଳ ହୁଅଇ ଖାଲି

ତିଳେହେଲେ ମାନେନାହିଁ ସେ ତ ବିବେକର ପ୍ରତିବାଦ

ଜାଳିଅଛି ଜୀବନକୁ ତିଳେ ତିଳେ ସେ ଯେଉଁ ଦାହିକା

ଶୋଷଣ କରିଛି ଯେତେ ହୃଦୟରୁ କରୁଣାର ବାରି

ବେପଥୁ କରିଛି ଯେଉଁ ପଦେ ପଦେ ପ୍ରଣୟ ନିର୍ମୋକ

ଦାନବ ନେଇଛି ଜନ୍ମ ଦେବତାର ବକ୍ଷକୁ ବିଦାରି

କିଏ ସତେ ରହି ରହି କହୁଅଛି ଜୀବନେ ନେପଥ୍ୟୁ

ପଥ ଯା’ର ନାହିଁ ଆଉ କହ କିଆଁ ନହେବ ବେପଥୁ ?

 

20th November, 1958, Cuttack.

 

ରାତ୍ରିର ମମତା

 

ନରମ ସେ ନିସ୍ତବଧତା ରେଶମି ରାତ୍ରିର

ନିର୍ବାପିତ ଦ୍ୟୁତିରେଖା ଘୋଟିଛି ତିମିର

ଆକାଶ ବକ୍ଷରୁ ତାରା ଲୁଚି ମାରେ ଆଖି

ନୀରବ ପ୍ରକୃତି ତାର ଏକମାତ୍ର ସାକ୍ଷୀ

ଏ ନିର୍ଜନ ବିଜନତା କରୁଛି ଆହ୍ୱାନ

ସବୁଦିନ ପରି ଆଜି ନକର ପ୍ରସ୍ଥାନ

ତିମିର କଜଳ ବୋଳି ସୁଚାରୁ ନୟନେ

ଏ ନିଶୀଥ ସାର୍ଥକର ଆଜି ମୋ ଅୟନେ

ତିଳେ ତିଳେ ବିଦ୍ଧକରେ ରାତ୍ରିର ବିସ୍ତୃତି

ଦାବାନଳ ଜାଳିଦିଏ ଆଦିମ ପ୍ରବୃତ୍ତି

ପଥଭ୍ରଷ୍ଟ ରାଜକନ୍ୟା ଆନନ୍ଦ କାନନେ

ଚଞ୍ଚଳ ଆବେଗଭରା ଆତୁର ନୟନେ

ତିମିର ସରିବ ନାହିଁ ନ ଆସି ଜହ୍ନ

କାଟିବା ରାତ୍ରିର ବକ୍ଷେ ସମଗ୍ର ଜୀବନ

ପୋଛିବା କଜଳ ଯେତେ ରାତ୍ରିର ନୟନୁ

ଏ ଅନ୍ଧାର ଦୂର ହେବ ଦେହ ଆଉ ମନୁ ।

 

15th December, 1958, Cuttack.

 

ନିଦ୍ରାବନତ

 

ଶୋଇଛକି ଶୋଇକି ପଡ଼ିଲ ସତେ

ନିଶୀଥ ଝୁମୁଛି ଦେଖ ନିଝୁମ ନିଶାରେ

ମାଦକତା ଭରିଆସେ ମନର ଭିତରେ

ସ୍ୱପ୍ନସ୍ମିତ ହସରେଖା ଦେଖି ଓଠ ପ୍ରାନ୍ତେ ।

ଏ ରାତିର ଅନ୍ଧକାର ମନର ରାକ୍ଷସ

ଆଜି ଏଠି ବଣଭୋଜି ବସନ୍ତ-କାନନେ

ମଳୟ ହିଲ୍ଲୋଳେ ମତ୍ତ ବିପର୍ଯ୍ୟସ୍ତ ବାସ

ଅସଂଯତ କୃଷ୍ଣ କେଶ ଚନ୍ଦ୍ରମା-ବଦନେ ।

ରାସ୍ତା କରେ କୃଷ୍ଣଚୂଡ଼ା ମେଲିଛି ପାଖୁଡ଼ା

ଏକା ଏକା ଦେଖିବାକୁ ଭଲ ଲାଗେ ନାହିଁ

ନିଦର-ସପନ-ପୂରେ ଘୂରୁଥିବ ତୁମେ

ଯକ୍ଷ ସମ ଗବାକ୍ଷରେ ରହିଛି ମୁଁ ଚାହିଁ ।

କଟିଯିବ ଏହି ରାତି ବ୍ୟର୍ଥତା କାତରେ

ନାଚି ନାଚି ପ୍ରତିକ୍ଷଣ ତୁମରି ପଲକେ

ଫୁଲସାଥେ ମରିଯିବ ଯେତେ ସରସତା

ସ୍ମୃତି ଖାଲି ଛାଡ଼ିଯିବ ମାନସ-ଫଳକେ ।

କେବେ ଯଦି ସରାଗରେ ନିରୋଳା ପ୍ରହରେ

ଶ୍ୱାସରୁଦ୍ଧ ତୁମ ତନୁ ବାହୁ ବନ୍ଧନରେ

ଜ୍ଞାନହାରି ଲୋଟିଯିବ ବକ୍ଷର ପ୍ରାନ୍ତରେ

କୃଷ୍ଣଚୂଡ଼ା ଆଣିଦେବ ଚେତନା ମନରେ ।

 

20th November, 1962, Sambalpur.

 

ରାତ୍ରିର ମମତା

 

ନରମ ସେ ନିସ୍ତବଧତା ରେଶମି ରାତ୍ରିର

ନିର୍ବାପିତ ଦ୍ୟୁତିରେଖା ଘୋଟିଛି ତିମିର

ଆକାଶ ବକ୍ଷରୁ ତାରା ଲୁଚି ମାରେ ଆଖି

ନୀରବ ପ୍ରକୃତି ତାର ଏକମାତ୍ର ସାକ୍ଷୀ

ଏ ନିର୍ଜନ ବିଜନତା କରୁଛି ଆହ୍ୱାନ

ସବୁଦିନ ପରି ଆଜି ନକର ପ୍ରସ୍ଥାନ

ତିମିର କଜଳ ବୋଳି ସୁଚାରୁ ନୟନେ

ଏ ନିଶୀଥ ସାର୍ଥକର ଆଜି ମୋ ଅୟନେ

ତିଳେ ତିଳେ ବିଦ୍ଧକରେ ରାତ୍ରିର ବିସ୍ତୃତି

ଦାବାନଳ ଜାଳିଦିଏ ଆଦିମ ପ୍ରବୃତ୍ତି

ପଥଭ୍ରଷ୍ଟ ରାଜକନ୍ୟା ଆନନ୍ଦ କାନନେ

ଚଞ୍ଚଳ ଆବେଗଭରା ଆତୁର ନୟନେ

ତିମିର ସରିବ ନାହିଁ ନ ଆସିବ ଜହ୍ନ

କାଟିବା ରାତ୍ରିର ବକ୍ଷେ ସମଗ୍ର ଜୀବନ

ପୋଛିବା କଜଳ ଯେତେ ରାତ୍ରିର ନୟନୁ

ଏ ଅନ୍ଧାର ଦୂର ହେବ ଦେହ ଆଉ ମନୁ ।

 

15th December, 1958, Cuttack.

 

ନିଦ୍ରାବନତ

 

ଶୋଇଛକି ଶୋଇକି ପଡ଼ିଲ ସତେ

ନିଶୀଥ ଝୁମୁଛି ଦେଖ ନିଝୁମ ନିଶାରେ

ମାଦକତା ଭରିଆସେ ମନର ଭିତରେ

ସ୍ୱପ୍ନସ୍ମିତ ହସରେଖା ଦେଖି ଓଠ ପ୍ରାନ୍ତେ ।

ଏ ରାତିର ଅନ୍ଧକାର ମନର ରାକ୍ଷସ

ଆଜି ଏଠି ବଣଭୋଜୀ ବସନ୍ତ-କାନନେ

ମଳୟ ହିଲ୍ଲୋଳେ ମତ୍ତ ବିପର୍ଯ୍ୟସ୍ତ ବାସ

ଅସଂଯତ କୃଷ୍ଣ କେଶ ଚନ୍ଦ୍ରମା-ବଦନେ ।

ରାସ୍ତା କରେ କୃଷ୍ଣଚୂଡ଼ା ମେଲିଛି ପାଖୁଡ଼ା

ଏକା ଏକା ଦେଖିବାକୁ ଭଲ ଲାଗେ ନାହିଁ

ନିଦର-ସପନ-ପୂରେ ଘୂରୁଥିବ ତୁମେ

ଯକ୍ଷ ସମ ଗବାକ୍ଷରେ ରହିଛି ମୁଁ ଚାହିଁ ।

କଟିଯିବ ଏହି ରାତି ବ୍ୟର୍ଥତା କାତରେ

ନାଚି ନାଚି ପ୍ରତିକ୍ଷଣ ତୁମରି ପଲକେ

ଫୁଲସାଥେ ମରିଯିବ ଯେତେ ସରସତା

ସ୍ମୃତି ଖାଲି ଛାଡ଼ିଯିବ ମାନସ-ଫଳକେ ।

କେବେ ଯଦି ସରାଗରେ ନିରୋଳା ପ୍ରହରେ

ଶ୍ୱାସରୁଦ୍ଧ ତୁମ ତନୁ ବାହୁ ବନ୍ଧନରେ

ଜ୍ଞାନହାରି ଲୋଟିଯିବ ବକ୍ଷର ପ୍ରାନ୍ତରେ

କୃଷ୍ଣଚୂଡ଼ା ଆଣିଦେବ ଚେତନା ମନରେ ।

 

20th November, 1962, Sambalpur.

 

ଉତ୍ତର ସୀମାନ୍ତ

 

ଜାଗ ସର୍ବେ ଆସିଅଛି ଦେଶର ଡାକରା

ଧର ଅସ୍ତ୍ର ଯୁଦ୍ଧଭୂମେ ଯିବାପାଇଁ ତ୍ୱରା

ବେ ନାହିଁ ଆଜି ଆଉ ଭାବିବାକୁ ତିଳେ

ହୀନ ଶତ୍ରୁ ଏ ଦେଶକୁ ରାହୁପରି ଗିଳେ ।

ଉତ୍ତର ସୀମାନ୍ତ ଆଜି ଶତ୍ରୁ ଆକ୍ରମିତ

ବଳିଦେଇ ଜୀବନକୁ ଯୋଦ୍ଧା ଶତ ଶତ

ମାତୃଭୂମି ଗୌରବକୁ ମହୀୟାନ କରି

ଲଢ଼ୁଛନ୍ତି ପ୍ରକୃତିର ବିଦ୍ରୂପେ ନ ଡରି ।

ଶୈତ୍ୟ ଆଉ ତୁଷାରର ବ୍ୟୂହ କାଟି କାଟି

ବରଫରେ ରକ୍ତ ଯହିଁ ବାନ୍ଧଇ ଜମାଟ

ଶତ ଶତ ଶତ୍ରୁ ମୁଣ୍ଡ ଭୂପତିତ କରି

ଏ ଦେଶକୁ କରିଛନ୍ତି ତା’ ଆଗେ ବିରାଟ ।

କିଏ କହେ ଯୁଦ୍ଧ ଖାଲି ବିଭୀଷିକାମୟ

କିଏ କହେ ମୂଲ୍ୟହୀନ ଜୟ ପରାଜୟ

ଏ ଯୁଦ୍ଧର ବାର୍ତ୍ତାବହ ପ୍ରାଣର ସଂକଳ୍ପ

ଜୟ ଆମ ସୁନିଶ୍ଚିତ ସାହସ ଅକଳ୍ପ ।

ରୌଦ୍ରତାପେ ଶୁଷ୍କ ନୁହେଁ ଯେ ଦେଶ ସୁମନ

ପ୍ରଦୀପ ଜ୍ୟୋତିରେ ତାହା ହେବକି ମଳିନ ?

ମୋ ଦେଶର ଯୋଦ୍ଧାଶ୍ରେଷ୍ଠ ଅଇରି ନାଶନେ

ଲେଖାଅଛି ସ୍ପଷ୍ଟ ତାହା ବିଜୟ କେତନେ ।

ଜୀବନର ବନ୍ଧନକୁ କାଟି ଖଣ୍ଡ ଖଣ୍ଡ

ସମୟ ପରିଧି ଚିହ୍ନ ବର୍ଷ ମାସ ଦଣ୍ଡ

ଯଶ କୀର୍ତ୍ତି ଯେ ବୀରର ପରାଣ ସମ୍ପଦ

ଖଡ୍‍ଗ ମୁନେ କାଟିବ ସେ ସମସ୍ତ ବିପଦ ।

ଜୀବନ-ସଂଗ୍ରାମେ ଯେହୁ ମୃତ୍ୟୁକୁ ନ ଡରେ

ମୃତ୍ୟୁଞ୍ଜୟୀ ଯୋଦ୍ଧା ସିଏ ମରଣର ପରେ

ମାତୃଭୂମି ଚରଣରେ ଦେଇ ନିଜେ ବଳି

ମହୀୟାନ ହୁଏ ବୀର ସବୁଠାରୁ ବଳି ।

 

25th November, 1962, Sambalpur.

 

କମ୍ପନ

 

ସହରର ରାସ୍ତାକଡ଼େ ଜାଳିଦେଇ

କୋଇଲାର ଚୁଲି

ଶୀର୍ଣ୍ଣ କ୍ଳାନ୍ତ ତରୁଣୀଏ ନମ୍ରଭାବେ

ଚାହିଁଥିଲା ବୁଲି ।

ମରୁ ଝଡ଼େ ମରିଅଛି ପରାଣର

ପ୍ରେମ ପରାବତ

ହଜିଅଛି ସୀମାହୀନ ସିନ୍ଧୁ ମଧ୍ୟେ

ଜୀବନର ପୋତ ।

ତଥାପି ଜୀବନ-ହ୍ରଦେ ଖେଳିଯାଏ

ଗୋଟିଏ ତରଙ୍ଗ

ଦେହଧାରୀ ଚେତନତା ସବୁ ମୋର

ହୁଅଇ ଅନଙ୍ଗ ।

ସଭ୍ୟତାର ଆଢ଼ୁଆଳେ ଯନ୍ତ୍ର ଯେବେ

ଗ୍ରାସକରେ ପ୍ରାଣ

ଜୀବନର ପଛେ ଧାଇଁ ପାଇଛି ମୁଁ

ମୃତ୍ୟୁର ପ୍ରମାଣ ।

ରାସ୍ତାକଡ଼େ ଧାଡ଼ି ଧାଡ଼ି ଦେବଦାରୁ

ଗଛର ପହରା

ଝରିଥିବ କେତେ ଲୁହ ଲକ୍ଷ୍ୟକରି

ଶ୍ରାବଣ ଅସରା ।

ଜଠରର ଅଗ୍ନିଦାହ ଏଡ଼ିବାକୁ

ସୁନ୍ଦରୀ ଗୋ ତୁମେ

ରୂପ ଗୁଣ ହାରିଥିବ ହୋଇସାରି

ଲୁଣ୍ଠିତ ଏ ଭୂମେ ।

ଆଜିର ଏ ତାମସ ସନ୍ଧ୍ୟାରେ

ଗିରି ନଦୀ ଉଦବେଳିତ ହୃଦୟ ଭିତରେ

ନାଚି ଉଠେ ପ୍ରତିକ୍ଷଣ ଅଜ୍ଞାତ ସୁନ୍ଦରୀ

କେଉଁ ଏକ ପରିଚିତ ପ୍ରଖ୍ୟାତ ନଗରୀ ।

 

18th June, Cuttack

 

ଏ ରାତ୍ରିର ଦାରୁଣ ଅନ୍ଧାରେ

 

ଭୟ ନାହିଁ ଚାଲ ଯାତ୍ରୀ ଏ ରାତ୍ରିର ଦାରୁଣ ଅନ୍ଧାରେ

ମାନ ନାହିଁ ଘାତ ପ୍ରତିଘାତ

ଏଇ ଦେଖ ଆଗେ ଆଗେ ଚାଲିଅଛି କେ ମାୟା ମୂରତି

ଦିଶୁଅଛି କା’ ଅଦୃଶ ହାତ ।

ଭୀରୁପାଇଁ ସ୍ଥାନ ନାହିଁ ଏ ସଂସାରେ ନିଶ୍ଚୟ ଜାଣିଥା

ବଞ୍ଚିବାକୁ ଜୀବନ-ସଂଗ୍ରାମେ

କାପୁରୁଷ ମରେ ଏଠି ଶହେଥର ମୃତ୍ୟୁର ପୂର୍ବରୁ

ବୀର ବଞ୍ଚେ ସହସ୍ର ବିକ୍ରମେ ।

କିଏ ଏଠି ମୃତ୍ୟୁପରେ ଯୁଗେ ଯୁଗେ ହୁଅଇ ଅମର

କାଳଗର୍ଭେ ହଜିଯାଏ କିଏ

ଦୁନିଆର ଅନ୍ଧାରକୁ ଡରେ ଯିଏ ନିରୀହ ଭାବରେ

ମୃତ୍ୟୁ ପୂର୍ବୁ ମରିଯାଏ ସିଏ ।

ପଥ ଭ୍ରଷ୍ଟ ହେବ ତୁମେ ଦେଖ କିଆଁ ଏପାଖ ସେପାଖ

ଲକ୍ଷ୍ୟକର ଦୂରର ଆଲୋକ

ବହୁ ଦୂର ବାକିଅଛି ଏବଠାରୁ ନହୁଅ ଅଥୟ

ଧୈର୍ଯ୍ୟଧରି ସେ ଦିଗେ ବିଲୋକ ।

ଇତିହାସ ତୁମ କଥା ସହଜରେ ଭୁଲି ଯାଇପାରେ

କବି କେହି ନଲେଖୁ କବିତା

ଏ ଭୂମିର ବାଲିରେଣୁ ସାଇତିବେ ତୁମ ପଦଚିହ୍ନ

ଗୀତଗାଇ ଏକ୍ଷୁଦ୍ର ସରିତା ।

ସର୍ପିଳ ଅନ୍ଧାର ପଥେ ଏକାହୋଇ ଯାଉଅଛ-ବୋଲି

କ୍ଷଣେ କ୍ଷଣେ ଲାଗୁଥିବ ଡର

ମନେରଖ ଭୁଲକରି ଦସ୍ୟୁ କେବେ ନଯାଏ ତା’ପାଖେ

ସ୍ୱାର୍ଥ ସିଦ୍ଧି ନଅଛି ଯାହାର ।

ଦୁଃଖ ଯଦି ଜୀବନର ମୂଳମନ୍ତ୍ର କାନ୍ଦ ପରପାଇଁ

ଅନ୍ୟ ସୁଖେ ଟିକିଏ ଆନନ୍ଦ

ମମତାର ଜାଲ ଯଦି କାଟିପାର ନିର୍ଭୟ ଚିତ୍ତରେ

ନିରର୍ଥକ ହସ ଆଉ କାନ୍ଦ ।

ଜୟ ତୁମ ସୁନିଶ୍ଚିତ କଟିଯିବ ଏ ଘନ ଅନ୍ଧାର

ଏଇ ଦେଖ ତିମିର ପଛରେ

ଧରଣୀ ହସୁଛି ତହିଁ ଗୌରବର ବିଜୟ ଗର୍ବରେ

ଆନନ୍ଦର ଆଲୋକ-ଉତ୍ସରେ ।

ତୁମ ପଦ ସ୍ପର୍ଶ ପାଇଁ ଆସୁଅଛି ପ୍ରଭାତୀ ଆଲୋକ

ପ୍ରକୃତିରେ କି ନବ କମ୍ପନ

ଦିଗେ ଦିଗେ ଶୁଭୁଅଛି ମଧୁତାନ କୋକିଳ କାକଳି

ଥରୁଅଛି ପତ୍ର ଅପଘନ ।

ରଜନୀ ସାଜିଛି ଦେଖ କୁସୁମରେ କନକ-କବରୀ

ଭାସିଆସେ ଫୁଲର ସୁଗନ୍ଧ

ମଧୁବୃଷ୍ଟି କରୁଅଛି ପ୍ରକୃତିକୁ ରସାଣିତ କରି

କୁସୁମର ନବ ମକରନ୍ଦ ।

ଜୟଯାତ୍ରା ସରିଅଛି ନିର୍ଭୟରେ ହେ ଅମର ଯାତ୍ରୀ

କଟିଅଛି ଦୁଃଖର ପ୍ରହର

ଜୀବନ ଆଲୋକ ପଥେ ହସ ତୁମେ ନାହିଁ ଆଜି ଆଉ

ସେ ରାତ୍ରିର ଦାରୁଣ ଅନ୍ଧାରେ ।

 

10th February, 1963, Sambalpur.

 

କେଉଁ ଏକ ଅଜ୍ଞାତ ରୂପସୀ

 

ତୁମକୁ ଦେଖିଛି ନିତି ସଞ୍ଜ ଓ ସକାଳେ

କାଖରେ ମାଠିଆ ଘେନି

ତୁମେ ଯେବେ ଆଣୁଥିଲ ପାଣି

ତୁମକୁ ଦେଖିଛି ସେହି ଓଢ଼ଣାର ତଳେ

ଝକ୍‍ମକ୍‍ କରେ ଯେବେ

ସରୁ ତୁମ ନାକର ବସୁଣୀ ।

 

ଆଉ କେ ଦେଖିଛି ଅବା ଭାବିଛି ସେ କଥା

ଖବର ରଖିନି ଆଜି

କିଏ କେବେ ତୁମର ସରଣୀ

ଜଗି ଜଗି ଲୁଚି ଦେଖ ସୌନ୍ଦର୍ଯ୍ୟ ଆସ୍ୱାଦେ

ରୂପର ସମ୍ପଦ ରାଶି

 

ମନେ ନାହିଁ ସେ କଥା ସଜନୀ ।

ମୁଁ ଆଜି ବହୁତ ଦୂରେ, ମରିଛି ପିପାସା

ତଥାପି ଭୁଲିନି ସେହି

ସରୁ ନାକ, ମନ୍ଥର ଗମନ

ସହରର କୋଳାହଳ ଘନେଇ ଆସିଛି

ଦେଖୁଛି ବହୁତ ଦେହ

ନାହିଁ କିନ୍ତୁ ତୁମର କମ୍ପନ ।

 

15th February, 1963, Sambalpur

 

ଏକକ

 

ମୁଁ ହସିଛି ଧରା ବକ୍ଷେ ବର୍ଷାଧୁଆ ସଜ ଆକାଶରେ

ମୁଁ ଦେଖିଛି ସାଗୁଆନ ନୀଳ ଆଖି ତାରା ବିକାଶରେ

ନିଜକୁ ଦେଇଛି ଧରା ଫଗୁଣର ପହିଲି ସକାଳେ

ସେ ନିଆଁରେ ଶୋଇଛି ମୁଁ ତିଳେ ତିଳେ ଦେହ ଯିଏ ଜାଳେ ।

ହଜିଛି, ଖୋଜିଛି ତାକୁ ପାଇ ପୁଣି ହରାଇଛି ପରେ

ପୁଣି ଥରେ ଖୋଜି ଖୋଜି ପାଇବାର ଆବେଗ ଭିତରେ

ଗହଳ ଅରଣ୍ୟ ନଦୀ ରାସ୍ତାକାଟି ପାହାଡ଼ ବକ୍ଷରେ

ଚପଳ ଉନ୍ମାଦେ ଧାଏଁ ହଜିବାକୁ ସାଗର ଗର୍ଭରେ ।

ମୋ ମନ-ଆକାଶ ଯେବେ ରଙ୍ଗଧରେ ଜୀବନ ମୀଳିମା

ହୃଦୟର-ଉପବନେ ବିରାଜଇ ବସନ୍ତ ଗରିମା

କିଏ ଧରେ ଫୁଲରୂପ କିଏ ଗାଏ କୋକିଳ ସଙ୍ଗୀତ

ପୁଲକରେ ଛୁଇଁ ଯାଏ କହ କାର ତନୁ ନବନୀତ ।

 

7th October, 1958, Cuttack.

 

ତୁମେ

 

ମୋ ନିକଟେ ଆସି ତୁମେ ଧରାଦେଇ ଚାଲିଯାଅ ଯେବେ

ଫେରି ଥରେ ଚାହଁ ଦୂରୁ ଆସିବାର ପରାଣ ଆବେଗେ

ଅଭିମାନ ରାଗରୁଷା ସବୁ ମତେ ଅତିଭଲ ଲାଗେ

ଯେତେ ଯାହା ଥିଲେ ଥାଉ ତୁମ କଥା ସବୁଠାରୁ ଆଗେ ।

ମତେ କେବେ କହିନାହଁ ମୁହଁ ଖୋଲି ଭଲପାଅ ବୋଲି

ପ୍ରମାଣ ଶପଥ ଯେତେ କରିଅଛ ଅନ୍ୟ ଆଗେ ଖାଲି

ଶୁଣିଛ କାହାଠୁ ପୁଣି ମୁଁ ତୁମକୁ ଭଲପାଏ ନାହିଁ

ଅନ୍ତରାଳେ ରୁଷା କନ୍ଦା କରିଅଛ ଦୂରେ ଦୂରେ ଥାଇ ।

ଯେ କୂଳରେ ତୁମେ ବୁଲ ସେଠିଖାଲି ବେଳାବାଲୁଚର

ଝାଉଁ ବଣ ସାଇଁ କାଟେ ଏକା ଏକା ଲାଗୁଥିବ ଡର

ମନର ରାକ୍ଷସ ତହିଁ ଠିଆହୁଏ ବିକଟ ରୂପରେ

ଜମାଟ ବାନ୍ଧଇ ରକ୍ତ ସାଗରର ପ୍ରଳୟ ଗୀତରେ ।

ଏ ଯୁଗର ବିଜ୍ଞାପନ ମୋହମାୟା ପ୍ରଣୟ ବିରହ

ଜଟିଳ ଦୁର୍ବୋଧ୍ୟ ହୁଏ ଏ ଜୀବନ-ନଦୀର ପ୍ରବାହ

ତୁମେ ଯେବେ ଭଲପାଇ ପାଇନାହଁ ତାର ପ୍ରତିଦାନ

ସରଳ ପରାଣେ ନିଶ୍ଚେ ହେଉଥିବ ମାନ ଅଭିମାନ ।

ତୁମକୁ ମୁଁ ଭଲପାଏ କହିବାକୁ ଅଛି ମୋ ସାହସ

କର ତୁମେ ଅଭିମାନ ଗାଳିଦିଅ ରାଗ ଅବା ରୁଷ

ମୁଁ ପଢ଼ିଛି ତୁମ ନେତ୍ରେ କେଉଁ ଏକ ଅକୁହା କାହାଣୀ

ହୃଦୟକୁ ବଦ୍ଧକରି ଲାଖିଅଛି ଶାଣିତ ଚାହାଣି ।

ଥରେ କେବେ ଚେଷ୍ଟାକରି ବୁଝ ଯଦି ପରାଣର କଥା

ଜାଣିବ ଗୋପନେ ଝରେ ତୁମଲାଗି ହୃଦୟରୁ ବ୍ୟଥା

ତୁମ ରୂପ ତୁମ ସ୍ପର୍ଶ ତୁମବିନା ଏ ଜଗତ ଶୂନ୍ୟ

ତୁମ ଶୋଭା ଦେଖି ନିତି ମଣେ ମୋର ଏ ଜୀବନ ଧନ୍ୟା

କଜ୍ଜ୍ୱଳ-ପୂରିତ କଳା ନୟନର କଟାକ୍ଷ ବାଣରେ

ମିନତି କରଇ ସଖୀ ନ ଜଗାଅ କମ୍ପନ ପ୍ରାଣରେ ।

 

12th August, 1962, Sambalpur

 

ସର୍କସ

 

ହିଂସ୍ର ଏହି ଦୁଇ ଆଖି ପରିଧି ଭିତରେ

ସ୍ପଷ୍ଟ ଯହିଁ ପଢ଼ିହୁଏ ରକ୍ତର ଲାଳସା

ହସି ହସି ନାଚି ନାଚି ମଧୁର ଗୀତରେ

ତୁମେ ସତେ ତା ଭିତରେ ବାନ୍ଧି ଅଛ ବସା

ଜୀବନର ବନ୍ଧନରେ କରୁଛ ଚିତ୍କାର

ସର୍କସର ବ୍ୟାଘ୍ର ପରି ତୁମେ ନିରୁପାୟ

ତଥାପି ଶୁଭୁଛି ତୁମ ଫଣିନୀ-ଫୁତ୍କାର

ଶାଣିତ ଚକ୍ଷୁର ଭୟେ ଥରୁଛି ହୃଦୟ ।

ଖୋଜି ଖୋଜି ବୁଲିଅଛ ପ୍ରାନ୍ତରେ କେଦାରେ

ଠିକ୍‍ ଏହି ବ୍ୟାଘ୍ରପରି ଶିକାର ଆଶାରେ

ସେ ଆଖିର ଜ୍ୱଳନରେ ରଚିଲ ଅନଳ

ପୋଡ଼ି ତହିଁ ଭସ୍ମ ହେଲା ଏ ମନର ବଳ ।

ତୁମେ ମୋର ସର୍ବଗ୍ରାସୀ ମୋହ ପ୍ରଲୋଭନ

ତୁମଲାଗି ସହେ ଯେତେ ସନ୍ତାପ ଦହନ ।

 

15th May, 1962, Cuttack.

 

ଅବସାଦ

 

ଜୀବନ-କାନନେ ଆମ

ଝରେ ଫୁଟେ ନିତି କେତେ ଆଶାର ସୁମନ

ମନ-ମଲ୍ଲୀ ମରିଯାଏ

ଆସେ ପୁଣି କେତେ ଏଥି ପ୍ରଳୟ ତୋଫାନ ।

ଡାକିବା ତ ଦୂରେ ଥାଉ

ବେଳ ନାହିଁ ଆଖିଠାରି ଦେବାକୁ ଇସାରା

ସମୟ ସୀମାର ରାହୁ

ଧୀରେ ଧୀରେ ଗ୍ରାସକରେ ଏ ଶରୀର ସାରା ।

ହାଟର ହାଟୁଆ ମୁହିଁ

ସୁନା ରୂପା ହୀରା ମୋତି ଦେଖିଲି ଏ

ସବୁ ଖାଲି କିଣାବିକା

କାମନାର ରମ୍ୟନୃତ୍ୟ ଦୁନିଆ ଦୁଆରେ ।

ଯେ ହରାଏ ପାଏ ସେହୁ

ପାଇ କେ ହଜାଏ ପୁଣି ଖୋଜିବା ଆଶାରେ

କିଏ କାହିଁ ହଜି ଯାଏ

ଖୋଜି ଖୋଜି ନମିଳଇ ସାରା ଏ ସଂସାରେ ।

ଆଜି ଯେ ଗାଅଇ ଗୀତ

ହୋଇ ଅଛି କାଲି ପୁଣି ସେ ମୂକ ବଧୀର

ଯେ ଦିଏ ପ୍ରେରଣା ଆଜି

କାଲି ହୁଏ ବ୍ୟତିବ୍ୟସ୍ତ ଆହତ ଅଧୀର ।

ଯେ ଦେଶେ ବହୁଛି ଦେଖ

ଶାନ୍ତ ସ୍ୱଚ୍ଛ ମନୋରମ ଶାନ୍ତିର ଜାହ୍ନବୀ

କାଲି ସେଠି ଧ୍ୱଂସଲୀଳା

କ୍ଷଣେ କ୍ଷଣେ ଭାସିଯାଏ ନରକର ଛବି ।

ଏଠି ଖାଲି ଫୁଲ ଫୁଟେ

ଝରିବାକୁ କ୍ଳାନ୍ତ ମନେ ବୈଶାଖ ପବନେ

ଅବସାଦ ଅଜଗର

ଘୂରି ଘୂରି ବିଷ ଖାଲି ବୋଳି ଦିଏ ମନେ ।

 

8th June, 1962, Cuttack.

 

ମନେ ପଡ଼େ

 

ଏ ସନ୍ଧ୍ୟାର ଘନ ଆବରଣ

ଜହ୍ନ ଯହିଁ ଫିକା ପଡ଼ି ଲାଜେ ପୋତେ ମଥା

ଯୁଗ ଯୁଗ ବ୍ୟଥାତୁର ପ୍ରାଣ

ଭାଙ୍ଗି ପଡ଼େ ଅସହାୟେ ଅଜ୍ଞାତେ ଅଯଥା ।

ସକରୁଣ ଆବେଗ କାହାର

ଘୂରି ବୁଲେ କ୍ଷଣେ କ୍ଷଣେ ଆକାଶେ ପବନେ

ମନେ ପଡ଼େ ରାକାରଜନୀର

ହସ ଖେଳ ନିଛାଟିଆ ବନେ ଉପବନେ ।

କାଟି ଦେଖ ଏଘନ ଅନ୍ଧାର

ଲୁଚକାଳି ଖେଳେ ଏବେ ତାରାର ସାଗର

ଏ ଜ୍ୟୋତିରେ ଆଜି ମୁଁ ଦେଖଇ

ନୃତ୍ୟଶୀଳ ସ୍ୱର୍ଣ୍ଣ ଶସ୍ୟ ଆମରି ପ୍ରେମର ।

ଜ୍ୟୋତିହୀନ ଆବିର ଏ ଜହ୍ନ

ମଧୁର ଆସ୍ୱାଦ ନାହିଁ ରାକାରଜନୀର

ନାହିଁ ସେହି ପରଶ ପୁଲକ

ଶୁଷ୍କ ପ୍ରାୟ ସ୍ରୋତ ଆଜି ଜୀବନ-ନଦୀର ।

ତଥାପି ତ ମନେ ପଡ଼େ ଆଜି

ଅତୀତର କେଉଁ ଏକ ଅମୃତ ପ୍ରହର

ପାଇଥିଲି କୋମଳ ପରଶ

ଯେଉଁ ଦିନ କେଉଁ ଏକ ମନ ଓ ଦେହର ।

 

3rd February, 1963, Sambalpur

 

ଗୋପନ କଥା

 

ଯେ ବିଶ୍ୱ ବଂଶୀରେ ଆଜି ମୁଗ୍ଧ ମୋର ମନ

ଯେ ରୂପ ଦେଖିଛି ଆଜି ଚକିତ ନୟନ

କସ୍ତୁରୀମୃଗର ପ୍ରାୟ ପଛେ ତାର ଧାଇଁ

ଜୀବନର ଗତିବିଧି ନଦେଖେ ଅନାଇଁ ।

ଏ ଯେଉଁ ଆଲୋକ ଦେଖି ଭୁଲିଛି ଅନ୍ଧାର

ଜାଣେନା ତା ପଛେ ଖାଳି କରୁଣ ଚିତ୍କାର

କେଉଁ ଏକ ମେରୁ ଦେଶେ ଅନ୍ତିମ ଆଲୋକ

ପରେ ପରେ ମାଡ଼ିଆସେ ଅନ୍ଧକାର ଶୋକ ।

ଦାରୁଣ ଶିଶିର ପାତେ ଛିନ୍ନ ଶତଦଳ

ଦୁଃଖାନଳେ ମନ-ମୀନ ହୁଅଇ ବିକଳ

ଅସରନ୍ତି ଜୀବନର ଅଳସ ହାଇରେ

ଯେତେ ଶ୍ରଦ୍ଧା ମରିଯାଏ ତିମିର ଛାଇରେ ।

ରାତିର ନିଝୁମ ନିଦେ ସବୁଯାଏ ହଜି

ଅଶାନ୍ତ ମନଟା ଖାଲି ଉଠୁଥାଏ ଗର୍ଜି

ସହର ନିଛାଟିଆ ସଡ଼କ ଉପରେ

କୁକୁରର ପାଟିପରି ମଝିରେ ମଝିରେ ।

କିଏ ଏଥି ପାଏ ନାହିଁ ମନର ମଣିଷ

ଖୋଜି ଖୋଜି ବଢ଼େ ଖାଲି ଦେହର ପରାସ

ଛାତିର ଅନ୍ଧାର ତଳେ କିଏ ହଜେ କାହିଁ

ଅଶରୀରୀ ଆତ୍ମାସବୁ ଶୁଣି ଶୁଣେ ନାହିଁ ।

 

18th February, 1968, Sambalpur.

 

ଅପରାହ୍ନ

 

ଯୌବନର ସୂର୍ଯ୍ୟ ଲୁଚିଯିବ ଯେବେ

ବାର୍ଦ୍ଧକ୍ୟର ଘୋର ଅନ୍ଧତ୍‍କାରେ

ଶିଥିଳ ହୋଇବ ଯେବେ ମୋର ମାଂସପେଶୀ

ଭଲକି ପାଇବ ମୋତେ କହ ସଖୀ ବାରେ ?

ମରିଯିବ ନୟନର ମାଦକତା

ସରିଯିବ ଜୀବନର ପ୍ରଣୟ ସରାଗ

କେଉଁ ଏକ ଘନରାତ୍ରେ ଡାକେ ଯଦି

ସଜନୀ ଗୋ କହ ସତେ ନହେବତ ରାଗ ?

ଉତ୍ତେଜନା ନଥିବ ତ ଦେହେ ଆଉ

ଥିବ ଖାଲି ମମତାର ଗୋଟିଏ ଝଙ୍କାର

ଲୋଳିତ ପଳିତ ଏହି ଶରୀରକୁ

ଘେରିଥିବ କିଏ ଜାଣେ କେତେ ଯେ ବିକାର

ଦେହକ୍ଷୁଧା ସରିଥିବ ମାତ୍ର ଖାଲି

ମନ ମୋର ଚାହୁଁଥିବ ଗୋଟିଏ ଉତ୍ତର

ଚିରଦିନ ଏହି ପ୍ରେମ ନେଇ ତୁମେ

କେନ୍ଦ୍ର ହୋଇ ରହିଥିବ ମୋ ମନ-ବୃତ୍ତର ।

ଜୀବନକୁ ତିଳେ ତିଳେ ମୋର ଯେବେ

କାଟି କାଟି ଖାଉଥିବ ବାର୍ଦ୍ଧକ୍ୟ ଓ ଜରା

ମୋର ପାଶେ ରହି ତୁମେ ପାରିବ କି

ଦେବକି ଗୋ ପୁଣିଥରେ ମୋ ବନ୍ଧନେ ଧରା ?

 

2nd March, 1962, Sambalpur.

 

Unknown

ନୟନ ଲୁହର ଧାରେ

 

ମୃଗନେତ୍ରୀ ନୟନକୁ ନକର ସଜଳ

ଲିଭିଯିବ ଲୁହ ଧାରେ ସୁଚାରୁ କଜଳ

ଅଭିମାନ ଛାଡ଼ ସଖୀ ଦେଖ ଥରେ ଚାହିଁ

ଚକ୍ଷୁନୀରେ ଶୋଭାରାଶି ଧୋଇ ଦିଅ ନାହିଁ ।

ପବନରେ ଖେଳି ଖେଳି କୋମଳ କୁନ୍ତଳ

ନୟନ-କମାଣ ପରି ସତତ ଚଞ୍ଚଳ

ଏ ଶୀତ-ଶୀକରଯୁକ୍ତ ଶୀତଳ ମଳୟ

ବସନେ କରିଛି ସୃଷ୍ଟି ନବୀନ ପ୍ରଳୟ ।

ତୁମ ଦୁଃଖେ ସୃଷ୍ଟି ଆଜି ହୋଇଛି ଅଧୀର

ପ୍ରକୃତି ସଙ୍ଗୀତ ସତେ ସେ ଦୁଃଖେ ବଧୀର

ଆଉ ସଖୀ କର ନାହିଁ ଲୋତକ ସମ୍ପାତ

ଅକାରଣେ କ୍ଷୀଣ ହେବ ତନୁ ନବ ନୀତ ।

ଆସ ଆମେ ଭାଷିଯିବା ଏ ଶୀତ ରାତିରେ

ଗଦା ଗଦା ସ୍ୱପ୍ନ ନେଇ ମନ ଓ ରାତିରେ

ମେଘଧୁଆ ଜହ୍ନ ହସେ ରଜତ ଆଲୋକେ

ସଜ ଫୁଟା ଫୁଲ ପରି ଅପୂର୍ବ ଚମକେ ।

ଏ ପବନ କମ୍ପନରେ ଦେହର କମ୍ପନ

ଆଣିଦେବ ମନମଧ୍ୟେ ନୂତନ ସ୍ପନ୍ଦନ

ଭୁଲିଯିବ ଏଥୁ ତୁମେ ମାନ ଅଭିମାନ

ନେଇଆସ ସାଥେ ଆଜି କୁସୁମ କମାଣ ।

ସହରର ବହୁ ଦୂରେ ଅଜ୍ଞାନ ପଲ୍ଲୀରେ

ଅନାମିକା କେଉଁ ଏକ କୁସୁମ ବଲ୍ଲୀରେ

ଧାନ କ୍ଷେତ ପାଖେ ପାଖେ ସବୁଜ ଘାସରେ

ଚାଲିଯିବା ଏକାନ୍ତରେ ନିର୍ଜନ ବାସରେ ।

ହସେ ଯହିଁ ଧାନ ପତ୍ରେ ଶିଶିରର ମୁକ୍ତା

ଗଭୀର ଗୋପନ ନିଦେ ଧରଣୀ ସୁଶୁପ୍ତା

ଝିଲ୍ଲୀର ଝଙ୍କାରେ ହୁଏ ପ୍ରକୃତି ପାଗଳ

ନିସ୍ତବ୍ଧତା ଭଙ୍ଗ କରି ଡାକଇ ଶୃଗାଳ ।

ପେଚକର ଭୟାନକ ବିକଟ ଭୈରବେ

ମାତା କୋଳୁ ଶିଶୁ ଚାହେଁ ସଭୟେ ଉଦ୍‍ଗ୍ରୀବେ

ଶକ୍ତକରେ ଆଲିଙ୍ଗନ ପ୍ରେମର ଆବେଶେ

ଭୟ ପାଇ କେଉଁ ନାରୀ ଶୋଇ ପ୍ରିୟପାଶେ ।

ସେ ରାତିର ନିରଜନ ଶୀତ ଆବରଣେ

ଭରି ଦେବା ସଙ୍ଗୀତ ଓ ନୂପୁର ନିକ୍ୱଣେ

ଘନ ରାତି ହୃଦୟକୁ ଥରାଇ ଥରାଇ

ବିଲ, ବନ, ଗାଁ ପରେ ନେବ ସେ ବୁହାଇ ।

ତୁମେ ଭାବ ଏ ଶୀତଟା ଲାଗିବ ବିଷମ

ଦେହ ମନ କିନ୍ତୁ ଆମ ଥିବ ଯେ ଗରମ

ତଥାପି ନ ହୁଏ ଯଦି ତୁମର ବିଶ୍ୱାସ

ପିଇଯିବା ମନ ଭରି ମହୁଲର ରସ ।

ପସନ୍ଦ ଲାଗିବ ନିଶ୍ଚେ ଶିଶିର ବିଛଣା

ଅମଡ଼ା ଚାଲିବା ଆମେ ହୋଇ ବାଟ ବଣା

ପହଁରି ପହଁରି ଶେଷେ ଏ ଘନ କୁହୁଡ଼ି

ପୁଣି ଏହି ସହରକୁ ଆସିବା ବାହୁଡ଼ି ।

ରାତିସାରା ଜଗି, ଜଗି କ୍ଳାନ୍ତ ଅପଘନେ

ତାରାସବୁ ଯେତେବେଳେ ଶୋଇବେ ଗଗନେ

ଆସିବ ଆଲୋକ କାଟି ରାତ୍ରିର ଅନ୍ଧାର,

ହଜିବ ମହକ ଯେବେ ରଜନୀଗନ୍ଧାର ।

ମୁଁ ଜାଣଇ ତୁମ ଚକ୍ଷୁ ହସିବ ଆଲୋକେ

ଲୋତକର ମୋତି ଆଉ ନ ଥିବ ପଲକେ

ହସୁଥିବ କେଉଁ ଏକ କବରୀ କୁସୁମ

ତୁମ ମନ ଦେହ ପରି ଥିବ ସେ ଉଷୁମ ।

 

20th February, 1963, Sambalpur.

 

ଏକ ସୀମାରେଖା

 

ତୁମେ ସତେ ରହିଯିବ କାହିଁ କେତେ ଦୂରେ

ଜରା ଯହିଁ ମୃତ୍ୟୁଲାଗି ନିରନ୍ତର ଝୁରେ

ଶିଶିର ଲୋତକ ଢାଳେ ଯହିଁ ଗୋ ନିଶୀଥ

ତୁମେ ତହିଁ ହୋଇଯିବ ନିହାତି ଏକାନ୍ତ ।

କେତେ ଦିନ ଯିବି ସଖୀ ଏମିତି ଗୋ ସରି

ତାର ପରେ ଆସିଯିବ ଧୀରେ ବିଭାବରୀ

କବରୀରୁ ଖସିଯିବ ତୁମରି ଗୋଲାପ

ସରିଯିବ ଜୀବନର ଯେତେ ପ୍ରେମାଳାପ ।

ନଖକଣେ କାଟି କାଟି ଜୀବନ ପ୍ରାଙ୍ଗଣ

କ୍ଷଣ, କ୍ଷଣ ମୃତ୍ୟୁସଙ୍ଗେ କରୁଥିବ ରଣ

ମାନସୀ ଗୋ ମନୁ ଯେବେ ସରିବ ଉତ୍ସାହ

ସହିକି ପାରିବ ତୁମେ ଶରୀରର ଦାହ ?

ସୁରହରା ବଂଶୀପରି ବେସୁରା ରାଗରେ

ଅଳସ ପରାଣ ଘେନି ବିରସ ଭାବରେ

ଛନ୍ଦହୀନ ଜୀବନକୁ ଦେଖୁଥିବ ଯେବେ

ଦାରୁଣ ବେଦନା ତେବେ ପାଇବ ସବେଗେ ।

ରଙ୍ଗହୀନ ଜୀବନର ନିଃସଙ୍ଗ ପ୍ରକାଶେ

ହଜିଥିବା ସୁର ଯଦି କେବେ ଫେରିଆସେ

ସେ ସଙ୍ଗୀତ ଶୁଣି କେବେ ନ କରିବ ଦୁଃଖ

ଅତୀତକୁ ଭାବି ତୁମେ ନ ହେବ ବିମୁଖ ।

ତୁମ ସଙ୍ଗେ ଚାଲିଅଛି ସଂସାରର ପଥେ

ରାତ୍ରିର ପ୍ରହର କେତେ କାଟି ତୁମ ସାଥେ

ଭାବିନାହିଁ ଦିନେ ସୁଦ୍ଧା ନିଜକୁ ଏକାନ୍ତ

କିଅବା ମୁଁ ହୋଇନାହିଁ କେବେ ପଥକ୍ଳାନ୍ତ ।

ଅତୀତ ପଡ଼ିଲେ ମନେ ତୁହାଇ ତୁହାଇ

ଲୋତକ ଦି’ ଧାର ସଖୀ ଦେବଗୋ ବୁହାଇ

ନ ଭାବିବ ବେଶି ଆଉ ଅଜଣା ଜଣାର

ଯୋଡ଼ୁଥିବ ଛିନ୍ନତାର ଜୀବନ-ବୀଣାର ।

ଭୟଙ୍କର ରୂପଧରି ମନର ରାକ୍ଷସ

ତିଳେ, ତିଳେ ଜୀବନର ସୁଖ କରେ ଗ୍ରାସ

ପ୍ରଳୟର ବାର୍ତ୍ତାବହ ଭୀମ ବାତ୍ୟାପରି

କୁସୁମ କୋମଳ ପ୍ରାଣେ ଦିଏ ହତ୍ୟା କରି ।

ତୁମେ ତହିଁ ନ ଡରିବ ନହେବ କାତର

ମନେ କିନ୍ତୁ ରଖିଥିବ ଏତକ ମାତର

ତୁମ ପାଖେ ଜଳୁଥିବ ମୋ ଆତ୍ମାର ଦୀପ

ପାଖେ, ପାଖେ ଖେଳୁଥିବ ସେ ଅମର ରୂପ ।

ନ ହାରିବ କେବେ ତୁମେ ଜୀବନେ ସାହସ

ନ ରଖିବ ମନେ ତୁମେ ତିଳେହେଲେ ପ୍ରାସ

ବାର୍ଦ୍ଧକ୍ୟର ଭାର ଯେବେ ନ ପାରିବ ସହି

ଦେବ ତୁମେ ଧୀରେ ଆସି ମୋ କାନରେ କହି ।

ବରିନେବି ଜୀବନର ଯେତେ ଅଭିଶାପ

ହସି ହସି ନେଇଯିବି ତୁମରି ସନ୍ତାପ

କେବେ ଯଦି ହୁଏ ତୁମ ପଥ ଅନ୍ଧତ୍‍କାର

ଢାଳିଦେବି ମୋ ଦୀପରୁ ଆଲୋକ ଅପାର ।

ସମୟ-ଇଗଲ ତହିଁ ଡେଣାକୁ ବିସ୍ତାରୀ

ଜୀବନ-କପୋତ ନେବ କେଉଁ କ୍ଷଣେ ମାରି

ଝରିଯିବ ସୁଖ ଯେତେ ଝରାଫୁଲ ପରି

ଦେଖି ଏହା କହ ସଖୀ ନ ଯିବତ ଡରି ?

ଶ୍ରାବଣର ଆରମ୍ଭରେ ଯେବେ ପ୍ରାବୁଟର

ବର୍ଷାଛଳେ ବୁହାଇବ ନୟନୁ ରୁଧୀର

ବିରହ ଅନଳେ ଜାଳି ଯେବେ ଗୋ ନିଦାଘ

ସଜୀବିତ କରିଦେବ ଜୀବନର ଦାଗ ।

ନାଚି ନାଚି ଥକିଥିବ ମନର ମୟୂର

ଆସିଥିବ ଶେଷ ଘଡ଼ି ତୁମରି ଆୟୁର

ଖାଲି ହୋଇ ଆସିଥିବ ଜୀବନର ପାତ୍ର

ଘନେଇ ଆସିବ ତେବେ ବିଷାଦର ରାତ୍ର ।

ଶ୍ୟାମାୟିତ ଧରଣୀର ବକ୍ଷୁ ଶ୍ୟାମଳିମା

ସରି ଯେବେ ବୋଳି ଦେବ ନିଷ୍ଠୁର କାଳିମା

ଚନ୍ଦ୍ରକିତ ପୃଥିବୀର ଜ୍ୟୋଚ୍ଛନା ମଧୁର

ତୁମକୁ ଗୋ କରୁଥିବ ବିରହ ବିଧୁର ।

ଧୂମାୟିତ ଜୀବନର ସୀମାହୀନ ପଥ

ସୀମାଲଘିଂ ଯେବେ ସଖୀ କରିବ ବିବ୍ରତ

କେବେ ଯଦି ମନେପଡ଼େ ତିଳେ ମୋର କଥା

ଦେଇ ଦେବ ମୋତେ ତୁମ ଜୀବନର ବ୍ୟଥା ।

 

9th October, 1959, Cuttack

 

ପ୍ରତ୍ୟୟ

 

ତୁମରି ଦୁଷ୍ଟାମି ମତେ ଭାରି ଭଲ ଲାଗେ

କଣ୍ଟାକୁ ମୁଁ ଭଲ ପାଏ କୁସୁମ ସରାଗେ

ମେଘ କୋଳୁ ଚନ୍ଦ୍ର ଯେବେ ଖସି ଚାଲିଯାଏ,

ସେ ଚନ୍ଦ୍ରକୁ ମୋର ମନ ଅତି ଭଲ ପାଏ ।

ପ୍ରଜାପତି ପରି ଆସି ଦିଅନାହିଁ ଧରା

ଧରିବାକୁ ପୁଣି ମୁହିଁ ଧାଇଁଯାଏ ତ୍ୱରା

ଚଞ୍ଚଳ ଚରଣ ଚାଳି ତୁମେ ଯାଅ ଚାଲି

ଅନୁରାଗ ସିନା ତହିଁ ବଢ଼େ ମୋର ଖାଲି ।

ଥର ପାଇଁ ଅଧରରେ ଖେଳାଇ ବିଦ୍ୟୁତ

ବିତରଣ କରିଯାଅ ଯେବେ ଗୋ ଅମୃତ

ଜାଳେ ଯେବେ ଜୀବନକୁ ବିରହ ଅନଳ

ମନେହୁଏ ତୁମ ଲାଗି ପିଇବି ଗରଳ ।

ହସଠାରୁ ଭଲ ଲାଗେ ତୁମରି ଲୋତକ

ରାଗ ରୁଷା ଅଭିମାନ ଗୁମାନ ଯେତେକ

ଆସି ନାହିଁ ଅଭିଜ୍ଞତା ପୂର୍ଣ୍ଣ ବୟସର

ଚପଳତା ମରି ନାହିଁ ତୁମରି ମନର ।

ଅନୁଭୂତି ହୀନ ତୁମ ସଜମନ ତଳେ

ଦହନର ଦୀପଶିଖା ନିରନ୍ତର ଜଳେ

ଇଚ୍ଛା ହୁଏ ଜଳିବାକୁ ତୁମରି ଶିଖାରେ

ରସାଣିତ ହୋଇବାକୁ ନବୀନ ଶିକ୍ଷାରେ ।

ତରଳ ଇସ୍ପାତ ପରି କାଟି ଫୁଲ ଝରି

ଜୀବନକୁ ତିଳେ ତିଳେ ଦିଅ ତୁମେ ଜାଳି

ତଥାପି ତ ଭଲ ଲାଗେ ତୁମରି ସାନ୍ନିଧ୍ୟ

ଅମାନିଆ ମନ ମୋର ହୁଅଇ ଅବାଧ୍ୟ ।

 

15th February, 1962, Sambalpur.

 

ନୂତନ ସନ୍ଦେଶ

 

ଦାରୁଣକୁ ଚୂର୍ଣ୍ଣ କରି ଗାଇବି ମୁଁ କରୁଣର ପ୍ରଳୟ କବିତା

ରାକ୍ଷସର କବଳରୁ ଛଡ଼ାଇ ଆଣିବି କେଉଁ ସରଳା ବନିତା

ଜାଳି ଜାଳି ଜୀବନକୁ ଆଲୋକିତ କରିବି ମୁଁ ଅନ୍ଧକାର ପଥ

ପାଇଯିବି କଷଣର ଯେତେକ ଲୋତକ ପୂର୍ଣ୍ଣ କରି ମନୋରଥ

ପ୍ରାକ୍ତନର ପର୍ଯ୍ୟାୟକୁ ବଦଳାଇ ଆଣିବି ମୁଁ ନବୀନ ସନ୍ଦେଶ

ଅଜ୍ଞାନତା ଅନ୍ଧକାର ଦୂର କରି ଗଢ଼ିଦେବି ଶକ୍ତିଶାଳୀ ଦେଶ

ଆଶା-ସେତୁ ବାନ୍ଧି ଦେବି ନିରାଶାର କେଉଁ ଏକ ଅତଳ ସାଗରେ

ତିଳେ ସୁଦ୍ଧା ନ ରହିବ ଅସମ୍ଭବ କେଉଁ କଥା ମୋହରି ଆଗରେ ।

କେବେ ଯଦି ମନଟାକୁ ଖାଉଥିବ କାଟି କାଟି ଅଶାନ୍ତି ରାକ୍ଷସ

ଫଟାଇବି ହସ ତହିଁ ସଞ୍ଚି ମୋର ପ୍ରାଣେ ଅଛି ଯେତେକ ସାହସ

ପ୍ରାଣ ମୋର ସରସତା ମରିଯାଇ ରୁକ୍ଷ ଯଦି କରଇ ମନକୁ

ବିଦ୍ରୋହର ଅଗ୍ନି ଯେବେ ଜାଳି ଦେଇ ଧ୍ୱଂସ କରେ ମୋ ହୃଦ-ବନକୁ ।

ଶେଷକରି ଦେବି ନାହିଁ ସେଠି କେବେ ତିଳେ ମୋର ଜୀବନର ଯାତ୍ରା

ଆତ୍ମତୃପ୍ତି ପାଇବାକୁ ଖୋଜି ଖୋଜି ବଢ଼ାଇବି ସନ୍ତୁଷ୍ଟିର ମାତ୍ରା ।

 

7th August, 1957, Cuttack

 

ବିମଗ୍ନ

 

ମୋ ମନର ସାଗର ବେଳାରେ

ତୁମେ ଯେବେ ଖେଳୁଥିଲ କାଟି କାଟି ଅଗଣିତ ତରଙ୍ଗର ସ୍ରୋତ

ଜୀବନର ପରିଧି ଭିତରେ

ତୁମେ ଯେବେ ଖୋଜୁଥିଲ ପ୍ରାଣର ପରାଗ ହୋଇ ପ୍ରଣୟେ ବିବ୍ରତ

ସେତେବେଳେ ତୁମକୁ ଦେଖିଛି

ଦେଖିଅଛି ତୁମ ମଧ୍ୟେ ପ୍ରଳୟର ଯେଉଁ ସବୁ ଗଭୀର ଚେତନା

ଖେଳୁ ଅଛ ଆଜି ଯେଉଁ

ତରଙ୍ଗର ହିଲ୍ଲୋଳ ବକ୍ଷରେ ସାଗରର ତୋଫାନକୁ ତୁମେ ତ ଜାଣନା ।

ସୂର୍ଯ୍ୟ ଯେବେ ଲୁଚିଯାଏ

ପର ପାରେ ଆସଇ ଅନ୍ଧାର

ଏ ବେଳାରେ ଘୂରି ଘୂରି ନାଚେ ବାଲୁଚର

ପବନର ବଂଶୀ ଯେବେ

ବାଜୁଥିବ ତରଙ୍ଗ ଉପରେ

ଭରି ଦେବ ତୁମ ହୃଦ ବିରହ ରାଗରେ ।

ଏ ସାଗର ରହିଥିବ

ତୁମେ କିନ୍ତୁ ଯିବ ଗୋ ବଦଳି

ଘୂରି ଘୂରି ବେଳା ପରେ ଦିବସ ଶର୍ବରୀ

ଦେଖୁଥିବ ଜୀବନର

ଅସ୍ତରାଗ ସାଗର ସେପାରି

ରଜନୀ ବିସ୍ତାରେ ଯେବେ ଅନ୍ଧାର କବରୀ

ଥମିଥିବ ମରୁତର

ବିଚୀ ସଙ୍ଗେ ପ୍ରଳୟ ନର୍ତ୍ତନ

ଆସୁଥିବ ଦୂରୁ କାହିଁ ମାଝିର ସଙ୍ଗୀତ

ସାୟନ୍ତର ଯାଦୁକାରୀ

ସେହି ଏକ ନିଶୂନ ମୁହୂର୍ତ୍ତେ

ତୁମେ ଯେବେ ଥିବ ତହିଁ ନାହାତି ଏକାନ୍ତ ।

ଫେନିଳ ସାଗର ଯେବେ

ତୁମ ରୂପେ ବିମୋହିତ ହୋଇ

ଦେଉଥିବ ତୁମ ପଦେ କୋମଳ ଚୁମ୍ୱନ

ମଳୟ ସରାଗେ ଯେବେ

ଚିକୁରକୁ ଦେବ ଗୋ ଖେଳାଇ

ଲଭିବ ମାନସେ ନିଶ୍ଚେ ବୃଶ୍ଚିକ ଦଂଶନ

ଜୀବନ-ଜୁଆର ଉଠି

ଭଟ୍ଟାଯେବେ ପଡ଼ିବ ସାଗରେ

ଦେଖି ଦେଖି ସେହି ଦୃଶ୍ୟ ତୁମରି ଆଗରେ

ପଛଘୁଞ୍ଚା ଦେବନାହିଁ

ପ୍ରଣୟର ପ୍ରମତ୍ତ ପ୍ରହରେ

ଫେରିଅବା ଯିବନାହିଁ ଅଯଥା ରାଗରେ ।

ଏତିକି କରିବ ଖାଲି

ଜୀବନର ଅନ୍ତିମ ମୁହୂର୍ତ୍ତେ

କ୍ଷୀଣ ଯେବେ ହୋଇଯିବ ବୀଣାର ଝଙ୍କାର

ତରଙ୍ଗର ଉନ୍ମାଦନା

ଭରିଦେବ ପ୍ରତ୍ୟେକ ଅଣୁରେ

ଯୋଡ଼ି ଦେବ ନିଜ ହାତେ ସେହି ଛିନ୍ନତାର ।

 

4th March, 1962, Sambalpur

 

ଦ୍ୱିଧା

 

ଯେ ସପନ ଭାଙ୍ଗିଅଛି ଝରିଅଛି ଯେଉଁ ଶତଦଳ

ମରିଅଛି ଚନ୍ଦ୍ରାବତୀ ସରିଅଛି ସୁଖର-ସମ୍ଭାର

ସେ କି ଖାଲି ଆସିଥାଏ ନିମିଷକେ ଯିବାକୁ ଚଞ୍ଚଳ

ନିଶ୍ୱକରି ନିରୀହର ଗଢ଼ିଥିବା ସ୍ୱପ୍ନର-ସଂସାର ?

କିଏ କହେ ଚନ୍ଦ୍ରାବତୀ ମରିଅଛି ରାତ୍ରିର ଗହ୍ୱରେ

ଝରିଅଛି ଶତଦଳ ଶିଶିରର ନିସ୍କରୁଣ ହାତେ

କିଏ କହେ ମଣିଷର ସୁଖ ମନେ ଅନ୍ତିମ ପ୍ରହରେ

ମଧୁସ୍ୱପ୍ନ ସରିଯାଏ ସେହିକ୍ଷଣି ପ୍ରଭାତର ପାତେ ?

ପାନକରି ଶେଷ ବିନ୍ଦୁ ଜୀବନର ସୁଖର ପାତ୍ରରୁ

ରସନା ଚଳାଇ ପୁଣି ଖୋଜୁଥିଳି ଟିକିଏ ଆସ୍ୱାଦ

ଖୋଜୁଥିଲି ଶରତର ପୁଲକିତ ଜ୍ୟୋଚ୍ଛନା ରାତ୍ରରୁ

ରାହୁ ଯାର ଗ୍ରାସିଅଛି ତିଳେ ତିଳେ ସମସ୍ତ ଆହ୍ଲାଦ

ଯିଏ ଆସେ ଯିବାପାଇଁ କରିଥାଏ ଆଗରୁ ଉପାୟ

ସୁଖ-ଦୁଃଖ, ଭଙ୍ଗା-ଗଢ଼ା ଜୀବନର ଦୁଇଟି ପର୍ଯ୍ୟାୟ ।

 

10th April, 1962, Sambalpur

 

ପରାଣ ଦେବତା

 

ମୁଁ ଜାଣିନି ତୁମେ ବଡ଼ ଥିଲ କିବା ଛୋଟ ଥିଲ ଦେଶ ପାଇଁ

ମୁଁ ଜାଣିନି ତୁମେ ସ୍ୱର୍ଗୁ ଜାହ୍ନବୀ ଆଣିଥିଲ କିବା ନାହିଁ

ତୁମରି ଦର୍ପରେ କିଏ ଥରୁଥିଲା କିଏ ବା ଛାଡ଼ିଲା ଦେଶ

କାହା ମୁଖୁ ଦିନେ ତୁମରି ବଡ଼ିମା ଶୁଣି ନାହିଁ ମୁହିଁ ଲେଶ ।

ମୁଁ ଜାଣିଛି ତାକୁ ଜନତା ଦୁଃଖରେ କାନ୍ଦିଛି ପରାଣ ଯାର

ବନ୍ୟା ମରୁଡ଼ି ବୁଲି ବୁଲି ଯିଏ ପୋଛିଛି ଲୋତକ ଧାର

ଦେଶ ପାଇଁ ଯିଏ ପରାଣ ବିକିଲା ଭୁଲିଲା ଘରର କଥା

ତାହାରି ଚରଣେ ଭକ୍ତିଭରେ ଆଜି ନଇଁଯାଏ ମୋର ମଥା ।

ମଣିଷ ବୋଲି ମୁଁ ଭାବି ପାରେ ନାହିଁ ଦେବତାର ଦୂତ ସିଏ

ଲକ୍ଷ ଅଧରେ ହାସ୍ୟ ଫୁଟାଇ କଷଣ ବରିଲା ଯିଏ

ମନରେ ତାହାର କେତେ ଯେ ସାହସ ହୃଦୟେ ଅକୁହା ବଳ

ଏ ଜାତିର ହାତେ ଦେଇଗଲା ସେହୁ ଜ୍ଞାନ ଗୌରବ ଫଳ ।

ତୁମକୁ ମୁଁ ଦେଖିନାହିଁ ଶୁଣିଅଛି ବହୁ ମୁଖୁ ତୁମରି ବାରତା

କହିଛନ୍ତି ଲୋକମାନେ ତୁମେ ଅଟ କର୍ଣ୍ଣଧାର ଜାତିର କରତା

ଦେଶ ସେବେ ତ୍ୟାଗ ନିଷ୍ଠା ତୁମଠାରେ ଦେଖିଅଛି ଏସବୁ ଯେତକ

ଏ ଜାତିର ଦୁଃଖବେଳେ ତୁମ କଥା ଭାବି ଭାବି ଝରଇ ଲୋତକ ।

ସ୍ରଷ୍ଟାଠାରୁ ବଳି ତୁମେ ବୁଝିଥିଲ ଆମ ଦୁଃଖ ବିକଳ ବେଦନା

ଘରେ ଘରେ ଦ୍ୱାରେ ଦ୍ୱାରେ ଦେଇଥିଲ ନିର୍ବିକାର ଅଭୟ ସାନ୍ତ୍ୱନା

ତୁମ ହସେ ହସିଥିଲା ଏହି ଜାତି ମରଣକୁ ତାତ୍ସଲ୍ୟେ ଉଡ଼ାଇ

ତୁମେ ସିନା ବୁଝିଥିଲ ଜନତାକୁ ତାର ପ୍ରାଣେ ଜୀବନ ଜଡ଼ାଇ ।

ବାଣ୍ଟି ନେଲ ଦୁଃଖ ଯେତେ ନଜ ସୁଖେ ସ୍ମିତ ମୁଖେ ଦେଇ ଜଳାଞ୍ଜଳି

ଏ ଜାତିକୁ ଆଲୋକିତ କରିଗଲ ତିଳେ ତିଳେ ଜୀବନକୁ ଜାଳି

ଯାଇଅଛ ତୁମେ ସିନା ରହିଅଛି ଏହି ଦେଶେ ତୁମରି ଆଲୋକ

ପ୍ରତି ପ୍ରାଣେ କ୍ଷଣେ କ୍ଷଣେ ସେବ ଧର୍ମେ ଜ୍ଞାନମାର୍ଗେ ଅନନ୍ତ ଦ୍ୟୋତକ ।

 

8th July, 1962, Sambalpur

 

ସୁଖ ଯଦି ଭଲ ଲାଗେ

 

ଖାଲି ସୁଖ ଯଦି ତୁମକୁ ଭଲ ଲାଗେ

ଆଉ ଭଲ ଲାଗେ ବିଳାସ ବ୍ୟସନ

କେଉଁ ଏକ ରାଜ କନ୍ୟା ପରି ବସି ବସି

ଗଢ଼ୁଥିବ ଅଗଣିତ ପ୍ରେମର ସପନ ।

ଧାଇଁ ଧାଇଁ ଦାରିଦ୍ର୍ୟ ପାଖରୁ

ବ୍ୟଙ୍ଗେ କରି ନାସାର କୁଞ୍ଚନ

ତୁମେ ଭାବ ବଞ୍ଚିବାର ଅଧିକାର

ଅଛି ଖାଲି ତୁମର, ନାହିଁ କାର ଆନ ?

ତେବେ କଣ ହତଭାଗା ନିଷ୍ପେଷିତ ଦଳ

ଉତ୍ସିଷ୍ଠଭୋଜୀ ଶ୍ୱାନ ପରି ଖାଲି

ନଗ୍ନ ଆଉ ଗୃହହୀନ ହୋଇ ରହିଥିବେ

ରାସ୍ତା କଡ଼େ ଜୀବନକୁ ଜାଳି ।

ଜରାବ୍ୟାଧି ଦାରିଦ୍ର୍ୟର ନିଷ୍ଠୁର ପ୍ରହାର

ବହିସବୁ ନିରନ୍ତର ଖାଦ୍ୟର ଅଭାବେ

ଧନିକର ଭ୍ରୂକୁଞ୍ଚନ ସହି ସହି

ଦୁଃଖ ଘେନି ବଞ୍ଚିଥିବେ ଚିରଦିନ ଭବେ ।

ଏଇ ଦେଖ ରାସ୍ତା କରେ ଝାଉଁ ଗଛ ତଳେ

ସଂଜ୍ଞାହୀନ ଭିକ୍ଷୁଟିର ନିସ୍ତେଜ ନୟନ

ଡେଣା ଝାଡ଼ି କୁତୂହଳେ ଖୋଳି ଖୋଳି

କାକଟିଏ କରୁଅଛି ସେ ମାଂସ ଭକ୍ଷଣ ।

ପଙ୍ଗୁ ସେହି କୋଢ଼ୀଟାର କ୍ଷତସବୁ

ପଚି ଫାଟି ଝରୁଛି ରକତ

କୁଞ୍ଚିତ ରସନା ଘେନି ଶ୍ୱାନଟାଏ

କ୍ଷତ ସବୁ ଲିହନରେ ରତ ।

ଯେ ଅଛି ପ୍ରାସାଦେ ଜାଣିବ କିପରି ସବୁ

ଗରିବର ଅଛି ଯେତେ ଦୁଃଖ ଅବସାଦ

ବିଚରଣ କରେ ଯିଏ ସ୍ୱପ୍ନର ସଂସାରେ

ବୁଝିବ କିପରି ପ୍ରାଣେ ବାସ୍ତବ ବିଷାଦ ।

ଏ ଲୁହର ମୂଲ୍ୟ ତୁମ ଜୀବନରୁ ବେଶୀ

ଗଢ଼େ ଯିଏ ନିତ୍ୟ ନୂଆ ବାସ୍ତବ ସଂସାର

କରୁଣ କ୍ରନ୍ଦନ ତାର ଅମର ସଙ୍ଗୀତ

କ୍ଷତ ତାର ତ୍ୟାଗପୂତ ଆତ୍ମାର ସମ୍ଭାର ।

 

5th Jan, 1961, Sambalpur

 

ସଞ୍ଚୟ

 

କହେ ସେ ମୋ ଜାଗରଣ କରିବ ମଧୁର

ଫେରାଇ ଆଣିବ ସୁପ୍ତ ବଇଁଶୀର ସୁର

ନାମ ତାର ଚମ୍ପାବାଈ ରୂପ ତା ସୁନ୍ଦର

ତା ଚୁମ୍ୱନେ ସଞ୍ଚିଛି ସେ ସହସ୍ର ଅଧର ।

ଗଳିତ ପଳିତ ତାର ଯୌବନ ସମ୍ଭାର

ସ୍ନୋ ଆଉ ପାଉଡରେ ଦିଶେ ଚମତ୍କାର

ବ୍ରାସେରି ଅକ୍ଷୁଣ୍ଣ ରଖେ ତାର ବକ୍ଷଶିରି

ନୃତ୍ୟ ଗୀତ ପାରଦର୍ଶୀ, ଚିହ୍ନା ସେ ସବୁରି ।

କେତେ କୁଞ୍ଜ ଉପବନ ଉଦ୍ୟାନ ବଲ୍ଲରୀ

ସିନେମା ବା ଥିଏଟର ଦିବସ ସର୍ବରୀ

ରସିକ ପ୍ରେମିକ ସଙ୍ଗେ ବାହୁ ଛନ୍ଦି ହୋଇ

ପ୍ରଜାପତି ପରି ରଙ୍ଗେ ବୁଲୁଛି ନିଠେଇ ।

ସାସକିନ୍‍ ବ୍ଲାଉଜ୍‍ ସଙ୍ଗେ ନାଇଲନ୍‍ ଶାଢ଼ି

ରୂପର ପସରା ଦିଏ ତା’ ଦେହେ ଅଜାଡ଼ି

ସୁନା ଫ୍ରେମ ଚଷମାରେ ଶୋଭାପାଏ ଆଖି

ରସିକ ଭାବୁକ ମନ ରହେ ସେଥି ଲାଖି ।

ଦେହେ ତାର ଗଦା ଗଦା ସେଣ୍ଟ୍ ଲାରାଣ୍ଡର

ମୁହେଁ ତାର ଗଦା ଗଦା ସ୍ନୋ ପାଉଡର

ଆଧୁନିକ ସଭ୍ୟତାର ନିଖୁଣ ନମୁନା

ମେନକା ସେ ବିଶ୍ୱାମିତ୍ର ତପ କରେ ଚୂନା ।

ହାଇ ହିଲ୍‍ ପାଦେ ତାର ହାଣ୍ଡବ୍ୟାଗ୍‍ ହାତେ

ସଂଶୟ ଜଗାଏ ମନେ ପଲକର ପାତେ

ଚାହାଣି ନୁହଇ ତାହା ଚପଳା ଝଲକ

ଅବ୍ୟର୍ଥ ସେ ତୀର ସିନା ନୁହଇ ପଲକ ।

ବନ୍ଧୁ ମୋର ନବଘନ ତାଙ୍କ ବଡ଼ ସାଙ୍ଗ

କହନ୍ତି ସେ ଏକ ଆତ୍ମା ଦୁଇ ମାତ୍ର ଅଙ୍ଗ

‘ଥିଲା ମୋର ସବୁକିଛି ପତ୍ନୀର ଅଭାବ

ସେଥି ହେତୁ ମୋ ଜୀବନେ ଚମ୍ପା ଆବିର୍ଭାବ ।’

 

5th July, 1961, Cuttack.

 

ବୁଝି କି ପାରିଲ ତାର ଅନ୍ତର କଥା

 

ଲକ୍ଷ ଜନର ଦୁଃଖ ମୋଚନ

କରିଲ ନିଶ୍ଚିନ୍ତେ ବୁଦ୍ଧ

ଲକ୍ଷ ପ୍ରାଣର ଆର୍ତ୍ତ ବେଦନା

ନିଃଶେଷି କରିଲ ଶୁଦ୍ଧ ।

ଏକାକୀ ଅଙ୍ଗନେ ରାଜନନ୍ଦିନୀ

ଝରାଇଲା ଯେଉଁ ଲୁହ

କିଏ ତା’ ଉତ୍ତର ଦେବ ହେ ବୁଦ୍ଧ

ଭାବିକରି ଥରେ କୁହ ।

ଗୋପା ହୃଦୟର ଯେତେ କରୁଣ ବ୍ୟଥା

ବୁଝି କି ପାରିଲ ତାର ଗୋପନ କଥା– ?

ରଜନୀ କୋଳରେ ମୁକ୍ତ କବରୀ

ଦେଇଥିଲା ଯେଉଁ ଗନ୍ଧ

ସୁପ୍ତ ସୁନ୍ଦର ତନୁ ନବନୀତ,

ଗୋପା ପ୍ରଣୟର ଛନ୍ଦ ।

ଶିଶୁ କୁନାଳ କରୁଣ କ୍ରନ୍ଦନ

ଅବଳା ବେଦନା ରାଶି

ବୁଦ୍ଧ ତୁମର ଦାରୁଣ ହୃଦୟ

ନିମିଷକେ ଦେଲା ନାଶି ।

କହିଥିଲ ଯେଉଁ ତୁମେ ହୃଦୟ ବାର୍ତ୍ତା

ବୁଝି କି ପାରିଲ ତାର ଗୋପନ କଥା ।

ନିଃଶେଷ କରି ଜୀବନ ତାହାର

ଧୂପର ପରାୟ ଜାଳି

ବିଳାସ ବ୍ୟସନ ଜୀବନ ମୃତ୍ୟୁ

ତୁମରି ଚରଣେ ଢାଳି ।

ପ୍ରଣୟ ମଦିରା ମତ୍ତେ ଯେ ଗୋପା

ଦେଲା ତା ସରବ ବଳି

ସୁକୋମଳ ସେହି ପ୍ରଣୟ କୁସୁମ

ଚରଣେ ଦେଇଛି ଦଳି

ନଇଁଲା ଚରଣେ ତୁମ ଦୁନିଆ ମଥା

ବୁଝିକି ପାରିଲ ତାର ଗୋପନ କଥା ?

ନିବିଡ଼ ନିଶିଥେ ସୁପ୍ତ ପ୍ରେୟସୀ

ଦେଖିଛି କେତେ ସପନ

ଗାଢ଼ ଆଶ୍ଳେଷରେ ବାହୁ ବନ୍ଧନେ

ଚୁମ୍ୱିଛ ତାର ଲପନ ।

ବକ୍ଷେ ତାହାର କୋମଳ ପରଶ

ଚକ୍ଷେ ପ୍ରଣୟ ଧାରା

ମୁକ୍ତ କବରୀ ଲୋଟିଛି ପଲଙ୍କେ

ସିକ୍ତ ବସନ ସାରା ।

ଜଡ଼ିଥିଲା ପ୍ରଣୟରେ ମତ୍ତ ତନୁ ଲତା

ବୁଝିକି ପାରିଲ ତାର ଗୋପନ କଥା ?

ସ୍ୱପ୍ନ ଶେଷରେ ନଦେଖି ପାଖରେ

ଅବଳା ଆକୁଳ ମତି

ଚନ୍ଦ୍ରଭାନୁକୁ ଖୋଜଇ କି ଅବା

ବିଧୁରା ଲାବଣ୍ୟବତୀ ।

ରାଜ-ପ୍ରାସାଦ କରୁଣ କ୍ରନ୍ଦନେ

ହୋଇଲା ଅତି ଆକୁଳ

ମାତୃ ସ୍ତନରେ ମୁଖ ଭରି ଦେଇ

କୁନାଳ ହୁଏ ବିକଳ ।

ତୁମ ଲାଗି ଯେଉଁ ନାରୀ ହରାଇଲା ସତ୍ତା

ବୁଝିକି ପାରିଲ ତାର ଗୋପନ କଥା ?

ସତ୍ୟ ଶିବ ସୁନ୍ଦର ଅବିନେଶ୍ୱର

ହୁଅ ଅବା ତୁମେ ବୁଦ୍ଧ

ପରମେଶ୍ୱର ଶାନ୍ତିର ଆକର

ମହାଜ୍ଞାନୀ ଦିବ୍ୟ ଶୁଦ୍ଧ ।

ଗୋପା ହୃଦୟରେ ଅଭିସମ୍ପାତ

ଏଡ଼ିକି ପାରିବ ତୁମେ ?

ଜୀବନେ ଯାହାକୁ ନିଃଶେଷ କରି

ଜାଳି ଅଛ ମରଭୂମେ ।

ବୁଦ୍ଧ କାହିଁକି ତୁମ ଶାନ୍ତ ନୀରବତା

ବୁଝିକି ପାରିଲ ତାର ଗୋପନ କଥା ।

ଅମ୍ୱା ପଲ୍ଲୀର କଳୁଷ ଜୀବନ

କିଏ କହେ କଲ ପୂତ

ଫେରାଇ ଆଣିଲ ଜ୍ଞାନ ମାର୍ଗରେ

ବୃଦ୍ଧା ଜନନୀ ସୁତ ?

ଅବଳା ପୁତ୍ର ଯେପରି ନିଃଶେଷ

ଦୁନିଆକୁ ଡରିଥାଏ

ସିଏକି ବୁଝିବ ଅନ୍ୟ ନାରୀର

ଜୀବନେ କି ଦୁଃଖ ଥାଏ ?

ତୁମ ଲାଗି ଯେ ସହିଲା ସକଳ ବ୍ୟଥା

ବୁଝିକି ପାରିଲ ତାର ଗୋପନ କଥା ?

 

17th July, 1961, Cuttack.

 

ବୁଝିଲା ଅନ୍ତର ଯିଏ

 

ଯେ ପ୍ରେୟସୀ ଜୀବନେ ମୋ ଆଣିଲା ସ୍ପନ୍ଦନ

ଦଗ୍ଧ ହୃଦେ ଯେ ବୋଳିଲା ଅଗୁରୁ ଚନ୍ଦନ

ଯେ ବୁଝିଲା ମନ ମୋର ଅପାଣାର ପରି

ସେହି ମୋର କାମ୍ୟ ବାଳା ସରଗର ପରୀ । ୧ ।

ପ୍ରତିଭା ଯେ ଆଣିଦେଲା ଜୀବନେ ବିକାଶ

ଯେ ମାନସୀ କଲା ମୋର ହୃଦୟେ ବିଳାସ

ସେହି ମୋର ରୁଚି କାମ୍ୟ ମାଥୁରୀ ତନିମା

ନିଃସ୍ୱ ଜୀବନ ସାଥୀ ଏକଇ ଗରିମା । ୨ ।

ଧୂପପରି ତା ଜୀବନ କରି ସେ ନିଃଶେଷ

ଗନ୍ଧଭରେ ମୋର ରୁଚି କରିଛି ସରସ

କ୍ଷଣକର ଦେଖା ପୁଣି କ୍ଷଣକର କଥା

ନେଇଗଲା ପରା ତାର ଯୁଗ ଯୁଗ ବ୍ୟଥା । ୩ ।

ସରିଅଛି ଅବଶେଷେ ମଧୁମୟ ଦିନ

ଭାଙ୍ଗିଅଛି ସେହି ମୋର ମଧୁର ସପନ

ଝରିଅଛି ଲତା ଦେହୁ ପୀରତି ଗୋଲାପ

ସରିଅଛି ଜୀବନର ଅମୃତ ସଂଳାପ । ୪ ।

ଦେଶେ ମୋର ମନେ ପଡ଼େ ବିଦେଶର କଥା

ଭରି ଆସେ ପୁଣି କାହୁଁ ଯୁଗ ଯୁଗ ବ୍ୟଥା

ଯିଏ ଦେଲା ଥରେ ଏତେ ସରସ ସରାଗ

କିମ୍ପାଇ ହୋଇଲା ପୁଣି ବିରସ ବିରାଗ । ୫ ।

ଯେ କୁସୁମ ଫୁଟିଥିଲା ଜୀବନ କାନନେ

ମଉଳି ଝରିଲା କିଆଁ ନିର୍ଜନ ବିଜନେ ?

ଯେ ଦେଲା ଅମୃତ ପୁଣି କିମ୍ପା ଦେଲା ବିଷ

କରିଲା ଜୀବନ ମମ ନିଃଶେଷ ନିରସ ? । ୬ ।

 

25th July 1961, Cuttack.

 

ପ୍ରଣୟ ଚୋର

 

ତୁମେକି ଜାଣିବ ଜୀବନ ପକ୍ଷୀର ବେଦନା ରାଶି

ତୁମେକି ଜାଣିବ ନରମ ତାହାର ମରମ କଥା ?

କିପରି ଭାବରେ ସୁଖର ସଂସାର ଯାଇଛି ଭାସି

କିପରି ତାହାର ହୃଦୟେ ଜନମେ ଅକୁହା ବ୍ୟଥା ।

କହିନି କାହାକୁ ଥରେ ସେ ବେଦନା ତାହାର ଯେତେ

କହିଛି ଯାହାକୁ ଅବା ସେ ଯାଇନି ତାହାକୁ ପ୍ରତେ

ବିକଳେ କେବଳ କାନ୍ଦିଛି ହୃଦୟ ଫଟାଇ ନିତି

ଝୁରି ଝୁରି ସେହି ବିଗତ ଜୀବନ ସେନେହ ପ୍ରୀତି ।

ଚମ୍ପା ସେହିଦିନ ମିନତି କରିଲା ବକୁଳ ବନେ

ଶୁଣ ଗୋ ବଉଳ ଯେ କଥା ରହିଛି ମୋହର ମନେ

କରୁଣ ବିଳାପେ ଜୀବନ ମୋହର ବିତିଲା ନିତି

ନାହିଁ ମୋ ଜୀବନେ ସୁଖର ସଂସାର ସେନେହ ପ୍ରୀତି ।

ରସିକ ମୋହର ନିରସ ହୋଇଲେ ପ୍ରଣୟ ଚୋର

କହଲୋ ବଉଳ, ସଂସାରେ କାହାକୁ ବୋଲିବି ମୋର ?

 

5th May 1959, Berhampur.

 

ମଳୟ ଦିଅନା ବାଧା

 

ପ୍ରେମ ରଚେ ଅଳି ଯେବେ, କମଳ କଳିକା

ପ୍ରଜାପତି ବନ୍ଧନରେ ମାଳତୀ ବିଥିକା

ମତ୍ତ ଥାଏ ନିଦ୍ରା ଭୁଲି ନିଶି ଉଜାଗରେ

ମଳୟ ଦିଅନା ବାଧା ସ୍ୱପ୍ନ ସମ୍ଭୋଗରେ ।

ବେଳାଭୂମେ ପ୍ରେମିକର ବନ୍ଧନେ ରୂପସୀ

ପ୍ରଣୟ ରଚଇ ଯେ ସୁନ୍ଦରୀ ଉର୍ବଶୀ

ପୁଲ୍ଲକିତ ପ୍ରେମ ଯେବେ ମିଳନ ସାଗରେ

ମଳୟ ଦିଅନା ବାଧା ସ୍ୱପ୍ନ ସମ୍ଭୋଗରେ ।

ଚନ୍ଦ୍ରକିତ ଧରଣୀର ସୁଶୋଭିତ ବକ୍ଷେ

ମିଳନ ମଦିରା-ମତ୍ତ ତନ୍ଦ୍ରାକୁଳ ଚକ୍ଷେ

ପ୍ରେୟସୀ ଡାକଇ ଯେବେ ପ୍ରଣୟ ରାଗରେ

ମଳୟ ଦିଅନା ବାଧା ସ୍ୱପ୍ନ ସମ୍ଭୋଗରେ ।

 

5th May, 1961, Berhampur.

 

ବିଦାୟ ବେଳା

 

ନୟନର ଅଶ୍ରୁଜଳେ ସିକ୍ତ କରି ବକ୍ଷ

ରିକ୍ତ କରି ଚାଲିଗଲ ଜୀବନର-କକ୍ଷ

ଜୀବନ ବୀଣାରେ ଯେଉଁ କରିଛ ଆଘାତ

ଝଙ୍କାର ତାହାର କରେ ସଲୀଳ ସମ୍ପାତ । ୧ ।

କୋମଳ ପଲ୍ଲବ ଦେହରେ ଯେ ଦିନ

ଅନ୍ତର ଶୟନ ରଚି

ମଧୁର ଅଧର ପରଶେ ରଖିଲ

ଅମୃତ ରତନ ସଞ୍ଚି । ୨ ।

ମିଳନ ମଧୁର, ବିରହ ବିଷାଦ

ସୃଷ୍ଟି ସଂହାର ପରି

ଅମୃତ ଛଳରେ ଗରଳ ପିଆଇ

ଜୀବନ୍ତେ ଦେଲ ମାରି । ୩ ।

କହିଥିଲ ତୁମେ ‘‘ପ୍ରେମ ଉପହାର’’

କବିତା ଲେଖିବା ପାଇଁ

କବିତାର ଭାବ ଜୀବନ ପରାଗ

ପାଖରେ ମୋହର ନାହିଁ । ୪ ।

କଳ୍ପନା-କଷଟି ନେଇଗଲ ତୁମେ

କବିତା ଆସିବ କାହୁଁ ?

ତୁମ କଥା ଭାବି ଯାଇଅଛି ଦ୍ରବି

ଘୋଟିଛି କଷଣ ରାହୁ । ୫ ।

ଅଶ୍ରୁ କେବଳ ସାଇତି ରଖିଛି ପ୍ରେମ ଉପହାର ଲାଗି

ଫେରାଇ ନଦେବ, ମିନତି କରଇ, ଧିକ୍‍କାର କରି ରାଗି ।

 

6th May 1959, Berhampur

 

ପ୍ରଥମ ଚୁମ୍ୱନ

 

ଦେଇଥିଲି ତାକୁ ଯେବେ ପ୍ରଥମ ଚୁମ୍ୱନ

ଜାଗିଥିଲା ତାର ହୃଦେ ନବୀନ ସ୍ପନ୍ଦନ

ମାଳତୀ ଲତିକା ପରି ଜଡ଼ି ମୋର ଦେହେ

ପ୍ରଣୟର କଥା କେତେ କହିଲା ସେନେହେ ।

ମଧୁରାତି ବିତିଗଲା ମିଳନ ରସରେ

ଯୁଗ ଯୁଗ ସରିଗଲା ଏକଇ ବାସରେ

ଝରିଲା ଜୋଚ୍ଛନା କେତେ ବାସ ଗବାକ୍ଷରେ

ଶୋଇଥାଏ ମୁଁ ପ୍ରେୟସୀ ଉନ୍ନତ ବକ୍ଷରେ ।

ସେହି ମୋର ଜୀବନର ଏକଇ ମୁହୂର୍ତ୍ତ

ଆଣିଅଛି ଯୁଗ ଯୁଗ କରି ଅପହୃତ

ସୁନ୍ଦରୀ ଲଳନା ତାର ମାଧୁରୀ ତନିମା

ଓତପ୍ରୋତ ବ୍ୟାପିଅଛି ଜୀବନର ସୀମା ।

ଦିନ ଯାଇ ବିତିଅଛି ମାସ ପରେ ମାସ

ବଢ଼ିଅଛି କେତେ ମୋର ଜୀବନର ପ୍ରାସ

ସେହିପରି ଫୁଲ ଫୁଟେ ମୋର ଉପବନେ

ସ୍ପନ୍ଦନ କାହିଁକି ମୋର ନ ଆସଇ ମନେ ?

ପୂର୍ବପରି ମୋ ପ୍ରେୟସୀ ସାଜଇ କବରୀ

ନୂଆ ଜନ୍ମ ନିଏ ପୁଣି ସେହି ବିଭାବରୀ

ଧୂପ ଗନ୍ଧ ଝରିପଡ଼େ ଶୟନ କକ୍ଷରୁ

ଖସିଯାଏ ଉତ୍ତରୀୟ ରୂପସୀ ବକ୍ଷରୁ ।

ସେହିପରି ଫେରିଆସେ ବାସର ବିଳାସ

ଖେଳିଯାଏ ଗବାକ୍ଷରେ ଜ୍ୟୋଚ୍ଛନା ଉଲ୍ଲାସ

ଝରିଯାଏ ମାଳତୀର ଦେହୁଁ ନୂଆ ଗନ୍ଧ

ବହି ଆସେ ସେ ମଳୟ ହୋଇ ମନ୍ଦ ମନ୍ଦ ।

ପଶୁପରି ମୁଁ ହିଁ ତାକୁ ଦିଅଇ ଚୁମ୍ୱନ

ନ ଆସେ କାହିଁକି ସେହି ନବୀନ ସ୍ପନ୍ଦନ ।

ସେ ମାଳତୀ ନିଶି ଶେଷେ ପୁଣି ଝରିଯାଏ

ଝରାଫୁଲ ପରି ମୋର ମନ ମରିଯାଏ ।

 

8th May, 1959, Berhampur.

 

ମଡେଲ

 

(ବିଷାଦର ଛାୟାଭରା ବିରହ ବିଧୁରା ରୂପସୀ ତନିମାକୁ ମଡେଲ କରି ଶିଳ୍ପୀ ଲାସ୍ୟମୟୀ ପ୍ରତିମା ସୃଷ୍ଟି କରିବାକୁ ଚାହିଁଥିଲା – ସେ ପାରିଲାନି – ଶିଳ୍ପକଳା ତାର ବିପର୍ଯ୍ୟସ୍ତ – ଅଲକ୍ଷିତେ ପ୍ରତିମା ପୁଣି ବିରହ ବିଧୁରା ।)

 

ରାଜ ସରଣୀରେ ଭିକ୍ଷୁ ଲଳନା ଚକ୍ଷୁ ଲୋତକ ଝରେ

କିଏ ବା ବୁଝୁଛି ବିକଳେ କାହିଁକି ପରାଣ ତାହାର ମରେ ।

ସକ୍ତ ତାହାର ବସନ ଲୋତକେ, ରିକ୍ତ ଅବୁଝା ମନ

କେଜାଣି କାହିଁକି ଅଜଣା ଭୟରେ କମ୍ପେ ତାର ଅପଘନ ।

ଶିଶୁଟି ପରି ତ ଦିଶୁଛି ସୁନ୍ଦରୀ, ବୁଝିନି କଷଣ

ମଉନେ ବସିଛି ନ କୁହେ କାହାକୁ କି ଯେ, ଅବା ତାର ପଣ ?

ମୁକ୍ତ କବରୀ ସୁପ୍ତ ଯଉବନ, ଲୁପ୍ତ ସୁଷମା ରାଶି

ଦୁପ୍ତା ଫଣିନୀ ଫୁତ୍କାର ତାର ଦେବକି ଧରାକୁ ଗ୍ରାସି ।

ବକ୍ଷୁ ତାହାର ଲକ୍ଷ ଦୁଃଖୀର ଝରଇ ବେଦନା ଯେତେ

ମୂର୍ତ୍ତିମତୀ ହୋଇ ଯେତେକ କଷଣ ଆସିଛି କି ଅବା ସତେ ?

ସେଦିନ ନିପୁଣ ଶିଳ୍ପୀ ତୂଳୀ ଧରି ହାତେ

ଦେଖିଲା ନିଖୁଣ ବାଳା ରାଜପଥ ପ୍ରାନ୍ତେ,

ଖୋଜି ଖୋଜି ବୁଲୁଥିଲା ସେ ଚିତ୍ର ପ୍ରତିମା

ପ୍ରାପ୍ତ ହେଲା ଅନୁପମ ରୂପସୀ ତନିମା ।

କଳାକାର ନିରେଖିଛି କରି ଏକ ଲୟ

ଏହିଠାରେ ଯେତେ ରୂପ ହୋଇଛି ବିଲୟ ।

ଭାବିଲା ଏହାକୁ କାହିଁ ଦେଖିଅଛି ଥରେ

ଚିହ୍ନିଲା ଚିହ୍ନିଲାପରି ଲାଗଇ ମନରେ

ସେହି ତାର ଶିଳ୍ପକଳା ସପନ ପ୍ରତିମା

ସୃଜନ ଲଙ୍ଘିଛି ତାର କଳ୍ପନାର ସୀମା ।

ଭାବିଥିଲା ଆଙ୍କିବାକୁ ଯା’ର ଚିତ୍ରାଲେଖ୍ୟ

ବିଧି ଯୋଗେ ସେ ରୂପସୀ ହୋଇଅଛି ଲକ୍ଷ୍ୟ

ରାଜକନ୍ୟା ବିନିନ୍ଦିତ ମନୋରମ ଛବି

ସେ ରୂପ ବର୍ଣ୍ଣନେ କ୍ଷମ ନୁହେଁ କେଉଁ କବି

ନୟନ କେବଳ ତାର ଶୋଭା ଅନୁଭବ

କରିପାରେ ଉପଭୋଗ ଅମୃତ ବିଭବ

କଳାକାର ଭାସିଗଲା କଳ୍ପନା ସାଗରେ

ଆଙ୍କିଲା ସେ ଚାରୁଚିତ୍ର ଅତି ସରାଗରେ ।

ବିରହ ବିଧୁରା ଲଳନା ଲପନ

ବିରସ ରାଗରେ ଭରା

ହୃଦୟର ଯେତେ ଦୁଃଖ ସାଥେ ନେଇ

ଝରଇ ଲୋତକ ଧାରା ।

କଳାକାର ଚାହେଁ ଲଳନା ଲପନେ

ହସର ଅମୃତ ରେଖା

ଲାସ୍ୟମୟୀ ହାସ୍ୟମୟୀ ସୁଭାସିନୀ

ଚିନ୍ମୟ ଚିତ୍ର ଲେଖା ।

ଶିଳ୍ପୀ ଯେତେଥର ଅଧରେ ଚିତ୍ରର

ଆଙ୍କି ଦେଉଥାଏ ହସ

ରୂପ ହଜିଯାଏ ସୁନ୍ଦରୀ ପ୍ରତିମା

ଦିଶଇ ଅତି ନିରସ ।

ଲୋତକ ଜର୍ଜର ନୟନ ତାହାର

ଶୋଭାକୁ କରେ ମଣ୍ଡିତ

ରମ୍ୟ ହାସ୍ୟରେଖା ଆଙ୍କି ଦେଲେ ଶିଳ୍ପୀ

ସୁଷମା ହୁଏ ଖଣ୍ଡିତ ।

ଶିଳ୍ପୀ ନ ବୁଝଇ କେଉଁଠି ରହିଛି

କଳାରେ ତାହାର ଭୁଲ

ଝରିଗଲା ପରି ଦିଶଇ କାହିଁକି

ସେ ତ ସଜ ଫୁଟା ଫୁଲ ।

ଚାହିଁଥିଲା କଳାକାର ସତୃଷ୍ଣ ନୟନେ

ସୁରମ୍ୟ ତନିମା ତାର ସରସ ଲପନେ

ବିରହ ବିଧୁରା ଯିଏ ମିଳନ ଚିତ୍ରରେ

ବିଷାଦ ପ୍ରତିମା କିଆଁ ହରଷ ଗାତ୍ରରେ

ଉପଭୋଗ କରୁ କରୁ ରୂପସୀ ମାଧୁରୀ

କ୍ରମେ କ୍ରମେ ଆସିଗଲା ଚାରୁ ବିଭାବରୀ

ଜ୍ୟୋତ୍ସ୍ନା ଧାର ଝରିଗଲା ଧରଣୀର ବକ୍ଷେ

ନୂଆ ଭାବ ଖେଳିଗଲା ଶିଳ୍ପୀର ସମକ୍ଷେ

ତୂଳୀ ଧରି ନିର୍ନିମେଶେ ଚାହିଁଲା ରୂପସୀ

ତନ୍ମୟେ ଭାବିଲା ଏହି କି ଅବା ଉର୍ବଶୀ

ଯେତେ ଯେତେ ରୂପସୀକୁ ଦେଖିଲା ନୟନ

ସେତେ ସେତେ ମୁଗ୍ଧ ହେଲା କଳାକାର ମନ

ଅଲକ୍ଷିତେ ଚିତ୍ର ଚକ୍ଷେ ବିରହ ଲୋତକ

ଲଳନା ଲପନେ ପୁଣି ବିଷାଦ ସନ୍ତକ

କମ୍ପିତ ଅଧରେ କେତେ ଯୁଗର ବେଦନା

ସଞ୍ଚିତ କରିଲା ଚିତ୍ର-କଳାର ଲଳନା

ଝରିଲା ପ୍ରତିମା ଦେହୁ ଦେବକନ୍ୟା ରୂପ

ଶିଳ୍ପୀ କହେ ଚିତ୍ରଲେଖା ତା’ କଳାର ରୂପ ।

 

10th May, 1959, Berhampur

 

ତମାଳ ତରୁର ତଳେ

 

ତମାଳ ତରୁର ତଳେ

କଅଁଳିଆ ଘାସ

ନିତି ନିତି କରେ ତହିଁ

ପଣୟ ବିଳାସ ।

ଝରିଯାଏ ଫୁଲ କେତେ

ସରିଯାଏ କଥା,

ବସି ବସି ମୋ ରୂପସୀ

ସାଉଁଳଇ ମଥା ।

ତମାଳ ତରୁର ତଳେ

ଜୀବନ ସରସ,

କେତେ ମୋର ଆଶା ପୁଣି

ଅନ୍ତର ପ୍ରୟାସ

ଯୁଗ ଯୁଗ ଧରି କେତେ

ପୁଷ୍ଟ ଅଭିନୟ

ନବଜାତ ଅନୁଭୂତି

ସରସ ପ୍ରଣୟ ।

ତମାଳ ତରୁର ତଳେ

କବରୀ ସୁବାସ

ନବୀନ ପ୍ରେରଣା ପୁଣି

ନବ ଅଭିଳାଷ

ବେଦନା ଭୁଲିବା ପାଇଁ

ଯେତେ ପ୍ରତାରଣା

ମଧୁର ସଂଳାପ ସୁଖ

ସଞ୍ଚିତ କରୁଣା ।

ତମାଳ ତରୁର ତଳେ

ଝରି ଯାଏ ଫୁଲ

ସରି ଯାଏ ଧୀରେ ଧୀରେ

ଜୀବନର ମୂଲ

ଧୂପ ପରି ସରିଯାଏ

ଯେତେ ରୂପ ମୋହ

ଯୂପ ପରି ଜଳିଯାଏ

ରୁଚି କାମ୍ୟ ଦେହ

ତମାଳ ତରୁର ତଳେ

ଆତ୍ମାର ପ୍ରଦୀପ ଜଳେ ।

 

11th May, 1959, Berhampur

 

ରଜନୀ ଶେଷରେ

 

ରଜନୀ ଶେଷରେ ସଜନୀ ପଚାରେ ଯିବ କି ଗୋ ସତେ ଯିବ କି ଚାଲି

ବିରହ ଅନଳେ ଜୀବନ ଜାଳି ଯିବ କି ଚାଲି ?

ଜଳ ଢଳ ଢଳ ନୟନ-କମଳ ବିରହ ବେଦନା ପରାଣେ ଭରା

ପ୍ରଣୟ-ଜ୍ୟୋତିରେ ଯେସନେ ତରା ଆବେଗ ଭରା ?

ଗୋଟିଏ ବାସର କୋଟିଏ ମାସର ବିଳାସ ଆଣିଲା ଯାହାର ପ୍ରାଣେ

ରମଣୀ ହୃଦୟ ଚେତନା ବାଣେ ସମ୍ଭୋଗ ଆଣେ ।

ଫୁଟିଲା ଯେ ଫୁଲ ନାହିଁ ତାର ତୁଲ ଜୀବନ କାନନ ସୁବାସ ଭରା

ପ୍ରଣୟ ସୌରଭେ ମୋହିଲା ଧରା ସପନି ପରା ।

କାହିଁକି ଝରିଲା ସେ ଫୁଲ ମରିଲା କେବଳ ଗୋଟିଏ ରାତିର ପାଇଁ

ସପନ ବିଳାସ ରହିବ ନାହିଁ ସମ୍ଭୋଗ କାହିଁ ?

କାହିଁକି ଚୁମ୍ୱନ କଲ ଅପଘନ କାହିଁକି ମମତା ଜାଗିଲ ପ୍ରାଣେ

ବିରହ ଅନଳ ବେଦନା ଆଣେ କିଏ ତା ଜାଣେ ?

 

9th June 1959, Berhampur

 

ସ୍ୱପ୍ନର ପ୍ରାରମ୍ଭ

 

ନିଦ୍ରା ଅବଶେଷେ ନିମିଳିତ ନେତ୍ରେ

ଦେଖିଲି ମୁଁ ଯେବେ ଧୀରେ

ସେଇ ତାର କତି ନୀରବ ନିଶୀଥେ

ସପନ-ସାଗର ତୀରେ

ତୁମେ ଶୋଇଥିଲ ମନ୍ଦାକିନୀ ତଳେ

ମାଳତୀ ତକିଆ ପରେ

କେତକୀ ଫୁଲର ପଙ୍ଖା ନେଇ ସଖୀ

ସମୀର ସଞ୍ଚାର କରେ

ମହୁଲ ଫୁଲର ମଧୁ ସାଥେ ନେଇ

ମତ୍ତ ଜ୍ୟୋଚ୍ଛନାର ଢେଉ

ଅମର ପ୍ରେମର କମନୀୟ ସୁଧା

ଝରୁଥିଲା ତବ ଦେହୁ ।

 

22nd June, 1959, Lucknow

 

ପ୍ରଶ୍ନ କରେ

 

ଥକି ଯାଏ ଚନ୍ଦ୍ର, ଯେବେ ଚାଲି ଚାଲି

ଅନନ୍ତ ପ୍ରାଙ୍ଗଣେ

ପ୍ରେମ ଭିକ୍ଷା କରି କରି ରଜନୀର

ସୁମନ୍ତ ଚରଣେ ।

ଢଳି ଢଳି ତାରା ଯେବେ ଆଖିବୁଜେ

ମତୁଆଲା ପରି

କ୍ଳାନ୍ତ ମନ ଝରିଯାଏ ତୁମ କୋଳେ

ପ୍ରେମଯାଏ ସରି ।

ଯଦି ତୁମେ କେବେ କେବେ ରାତ୍ରି ଶେଷେ

ଅନ୍ତିମ ପ୍ରହରେ

ଧୀରେ ଧୀରେ ଭରି ଦିଅ ଉତ୍ତେଜନା

ଜଡ଼ର ଦେହରେ ।

ଉପଭୁକ୍ତ ମନ ଖାଲି ବାରମ୍ବାର

ଏହି ପ୍ରଶ୍ନ କରେ

ରାତ୍ରି ଶେଷେ ପ୍ରେମ ଭିକ୍ଷୁ ଚନ୍ଦ୍ର ଗୋଟା

ଜୀଏଁ ଅବା ମରେ ?

 

15th August, 1959, Lucknow

 

ମରମ କଥା

 

ଜଳି ଜଳି ଲିଭିଯାଏ ଯେବେ ଦୀପଶିଖା

ଫୁଟି ଫୁଟି ଝରିଯାଏ ଫୁଲ ମହୁମଖା

ଧୂପ ଯେବେ ସରିଯାଏ ଗନ୍ଧଯାଏ ମରି

ଜୀବନ ସରାଗ ସୁଖ ଗୋପନରେ ସରି ।

ମଧୁରାତି ଲୁପ୍ତ ହୁଏ ସୁପ୍ତ ହୁଏ ମନ

ଜଳିଯାଏ ଗୋପନରେ ଗୁପ୍ତ ହୃଦ-ବନ

ସୁରହୀନ ଗୀତ ପରି ଅସୁନ୍ଦର ଲାଗେ

କ୍ଷୁଦ୍ଧ ପ୍ରାଣେ ତିକ୍ତ ଭାବେ, ସେ ଅତୀବ ଜାଗେ ।

ବର୍ତ୍ତମାନେ ବିଗତର ଚାରୁ ଭାବ ଧାରା

ତିକ୍ତ କରେ ପ୍ରାଣ ମୋର ଶ୍ରାବଣ ଅସରା

ଜଳିଯାଏ ଯୂପ ପରି ଜୀବନର ସୁଖ

ପରେ, ପରେ ଘୋଟିଆସେ ଅନ୍ଧକାର ଦୁଃଖ ।

ପ୍ରତିହତ ଚିନ୍ତାଧାରା ତ୍ରସ୍ତ ମୋର ପ୍ରାଣ

ବିଦ୍ଧ କରେ ନିତି ଦେହେ କ୍ରୂର କାଳ-ବାଣ

ବିତିଯାଏ ଦିନପରେ ଦିନ ବହୁ ଦିନ

ହୋଇଯାଏ ଛାୟାପରି ଅନୁଭୂତି କ୍ଷୀଣ ।

ମରେ ନାହିଁ କିନ୍ତୁ କେବେ ମରମର କଥା

ସରେ ନାହିଁ କେବେ ମୋର ହୃଦୟର ବ୍ୟଥା

ଜଳି ଜଳି ଧୀରେ ଧୀରେ ହେବ ସମାପନ

ଦୀପ ଲିଭି ଶେଷହେବ ବିକ୍ଷୁବ୍ଧ ଜୀବନ ।

ରହିଯିବ କିନ୍ତୁ ଖାଲି ସେହି ଅନୁଭୂତି

ସେ ମାୟା ମମତା ପୁଣି ଅଦମ୍ୟ ପ୍ରବୃତ୍ତି

ରହିଯିବ ଯେତେ ମୋର ସୁଚାରୁ କଳ୍ପନା

ଜୀବନର ଯେତେ ରଙ୍ଗ ଚିତ୍ର ସଂଳାପନା ।

 

21st December, 1959, Lucknow

 

କ୍ଷଣିକ ସମ୍ଭୋଗ

 

କୁନ୍ତଳିନୀ ଦେଇଅଛି ପ୍ରଣୟ ବାରତା

ଭୁଲିବନି ବୁଧବାର ସମୟ ବାରଟା

ନଦୀକରେ କୁଞ୍ଜତଳେ ସିମେଣ୍ଟ ଚଟାଣ

ମିଳନର ତୀର୍ଥ-ଭୂମି ପ୍ରଣୟ ନିଶାଣ ।

ସେହି ସ୍ଥଳେ ମିଶିଛନ୍ତି ପ୍ରେମିକ ପ୍ରେମିକା

ଗୀତ ଛନ୍ଦେ ମତ୍ତ କେତେ ଗାୟକ ଗାୟିକା

ଅଭିନୟ ରଚେ କେଉଁ ନାୟକ ନାୟିକା

ସେ ମିଳନ ଦେଖିଛନ୍ତି କାନନ ଲତିକା ।

ଖସିଅଛି ପ୍ରଣୟିନୀ କଟିରୁ ବଳୟ

ଉତ୍ତରୀୟ ବହିନିଏ ସୁଚାରୁ ମଳୟ

ବାସ କାର ଖସିଯାଏ ରସିଯାଏ ମନ

କେ ଚାହିଁଛି ଲଜ୍ଜାହୀନ ବିସ୍ତାରୀ ନୟନ ।

ପ୍ରଣୟର ରଙ୍ଗେ କାହିଁ ଝରିଯାଏ ଫୁଲ

ପ୍ରଣୟିନୀ ବସି କାହିଁ କରୁଥାଏ ମୂଲ

ବିଅର୍‍ର ଦୁର୍ଗନ୍ଧରେ କେତେ ସନ୍ଧ୍ୟାସିକ୍ତ

ହୋଇଅଛି ସେଠି କେଉଁ ହତଭାଗା ରିକ୍ତ ।

‘ତାରାବାଈ’ ଜରୀନାକୁ ଆଖି ମାରି କହେ

କେତେ ଲୋ ଅତର ଆଜି ମାରିଅଛୁ ଦେହେ

ପ୍ରତ୍ୟୁତ୍ତର ଆସେ କିଆଁ ଜଳୁଛୁ ଲୋ ଦେଖି

ସେ କହିଲା, ‘ଯେ ଜଳଇ ପୋଡ଼ିଯାଉ ଆଖି’ ।

ତଥାପି ତ ଭଲ ଲାଗେ ସେ ଦେହ ସମ୍ଭୋଗ

ପୂରିଥାଉ ପଛେ ତହିଁ ଶହ ଶହ ରୋଗ

କେତେକ୍ଷଣ ଭୁଲିଯାଏ ଜୀବନ ଭାରଟା

ବାରମ୍ୱାର ମନେପଡ଼େ ସମୟ ବାରଟା ।

 

1st January, 1960, Lucknow

 

ମଧୁରାତି

 

ଶୋଇଥାଏ ଚନ୍ଦ୍ରାବତୀ

ଝରିଯାଏ ଜ୍ୟୋଚ୍ଛନାର ଧାର

ପାଇଯାଏ ମଧୁରାତି

ଲିଭିଯାଏ କଜଳର ଗାର ।

କେ ଜାଣଇ ମନ କଥା

ଯୁଗ ଯୁଗ ସ୍ୱପ୍ନର ଆଧାରେ

ବିରହର କେତେ ବ୍ୟଥା

ସହି ଖାଲି ବ୍ୟର୍ଥେ ବଞ୍ଚିପାରେ ।

କେ ଜାଣିଛି ଦିନକରେ

ଝରିଯିବ ଯେତେକ ସୁମନ

ଘଡ଼ିକର ସୁଖ ପରେ

ଜଳିଯିବ ପ୍ରେମର-କାନନ ।

ନିମିଷକେ ସରିଯିବ

ସରଗର ଅମୃତ ସମ୍ପଦ

କ୍ଷଣକରେ ମରିଯିବ

ଜୀବନର ସମସ୍ତ ଆସ୍ୱାଦ ।

ଚନ୍ଦ୍ରାବତୀ କେତେ ବ୍ୟଥା

ସାଇତି ତା ଅନ୍ତର-କାନନେ

ନିଶାକାନେ କହେ କଥା

ସରସତା ତିଳେ ନାହିଁ ମନେ ।

ତଥାପି ରହିଛି ଆଶା

ଫେରିବ ସେ ମଧୁର ସୁଗନ୍ଧ

ଫୁଟିବ ମଧୁର ଭାଷା

ଚଉଦିଗେ ସଙ୍ଗୀତର ଛନ୍ଦ ।

 

15th January, 1960, Lucknow

 

ବିରହ ରାଗରେ

 

ସେଇ ମୋର ଜୀବନର ଅନ୍ତିମ ଉତ୍ସବ

ସରିଗଲା ଯେଉଁଦିନ ହୃଦୟବିଭବ

ଝରିଗଲା ଯେଉଁକ୍ଷଣେ ପ୍ରେମର ପରାଗ

ମରିଗଲା ମୁହୂର୍ତ୍ତକେ ପ୍ରଣୟର ରାଗ ।

ଶୁଖିଗଲା ମୋର ଲାଗି ସ୍ନେହର ସାଗର

ମ୍ଳାନ ହେଲା ଶଶିମୁଖୁ ଚନ୍ଦ୍ରିକା ସମ୍ଭାର

ଜୀବନରୁ ଶେଷ ହେଲା ମଳୟ ବସନ୍ତ

ଆରମ୍ଭିଲା ସେହିଦିନୁ କଷଣ ଅନନ୍ତ ।

ମୃତ ମୋର ଚିନ୍ତାଧାରା ନିରସ କବିତା

ଛନ୍ଦହୀନ ଜୀବନର ଏକମାତ୍ର ଚିନ୍ତା

ଯାରସ୍ନେହ ଆଣିଥିଲା ରୁଚିର ମଳୟ

ଦେଇଗଲା ସେହିକିଆଁ ଅନଳ-ପ୍ରଳୟ ।

ମଉଳିଛି ଜୀବନର ସରାଗ କୁସୁମ

ଯେ ବାସ୍ତବ ମୋର ଲାଗି ସେ ଅଟଇ ଧୂମ

ଗଢ଼ିବାର ଯେ ଆନନ୍ଦ ଲୁପ୍ତହୁଏ ଧୀରେ

ଆତ୍ମତୃପ୍ତି ଲଭେ ଆଜି ଧ୍ୱଂସର ବିଧିରେ ।

କିଏ ବସି ପଥପ୍ରାନ୍ତେ କରୁଛି ବିଳାପ

ମନ ମୋର ହସି ହସି ଦିଏ ଅଭିଶାପ

ଶେଷ ହୁଅ ସଂସାରରୁ କାଙ୍ଗାଳର ଦଳ

ସଭ୍ୟତାର ଚିର ଶତ୍ରୁହୀନ ପଙ୍ଗପାଳ ।

ଦଳି ଯେତେ ଶତଦଳ କୋମଳ ଦଳକୁ

ନଷ୍ଟକର ମନୋରମ କୁସୁମ କୁଳକୁ

ଧ୍ୱଂସହେଉ ସୁନ୍ଦରୀର ସୁନ୍ଦର ତନିମା

ମରିଯାଉ ମନୁ ତାର ରୂପର ଗରିମା ।

ନୁହେଁ ମୁହିଁ ଦାର୍ଶନିକ ପ୍ରେମବାଦୀ କବି

ବିରହରେ ଦେଖେ ନାହିଁ ମିଳନର ଛବି

ମୋର କାମ୍ୟ ବାସ୍ତବତା ମଧୁର ମିଳନ

ଯେ ନେଇଛି ମୋହୃଦୟ ଦେଇ ପ୍ରଲୋଭନ ।

ଯେ କରିଛି ଜୀବନର ପଥେ ସର୍ବସ୍ୱାନ୍ତ

ଯାର ଲାଗି ପଥଭୁଲି ହୋଇଅଛି କ୍ଳାନ୍ତ

ପଚାରିବି ଏହି ପ୍ରଶ୍ନ ତାକୁ ପ୍ରତିଥର

‘ଧ୍ୱଂସ କିଗୋ ମୂଳମନ୍ତ୍ର ତୁମ୍ଭ ଜୀବନର’ ।

ଯାଇଅଛ ତୁମେ ଆଜି ଯେଉଁ ଅଭିମାନେ

ପଛକଥା କେବେ ଯଦି ପଡ଼େ ତୁମ ମନେ

ସେତେବେଳେ ଜରା ଖାଲି ପ୍ରତ୍ୟୁତ୍ତର ଦେବ

ସେହି ମୋର ଜୀବନର ଅନ୍ତିମ ଉତ୍ସବ ।

 

4th Janu, 1960, Lucknow

 

ଗୋଟିଏ ଉତ୍ତର

 

ପଚାରିବ ବୋଲି ଯେଉଁ ପ୍ରଶ୍ନ ବାରମ୍ବାର

ଆସି ପୁଣି ଫେରିଯାଅ ପୁଣି ଆସି ଫେର

ପରେ କାହିଁ କେତେ ଦିନେ ସାହସ ସଞ୍ଚାର

ଆଜି ମୁଁ ତୁମକୁ ଦେବି ତାହାର ଉତ୍ତର ।

ହସିବାକୁ ଭଲ ଲାଗେ ହୃଦୟ ପାଇଲେ

ଶୁଣିବାକୁ ଇଚ୍ଛାହୁଏ ସୁକଣ୍ଠ ଗାଇଲେ

କିଏ ପୁଣି ମନଦେଇ ହୃଦୟ ଚୋରାଏ

ଅଜଣା ଅଶୁଣା ଦିନେ ନିଜକୁ ହରାଏ ।

ନ କହି ମୋ ଆଗେ ତୁମେ ଅକୁହା ରହିନା

ହୃଦୟର ଦୁଃଖ କେବେ କାହାକୁ କହିନା

ଯାହା ତୁମେ ଜାଣିବାକୁ ମୋଠାରୁ ଚାହିଁଛ

ଅଗୋଚରେ ସବୁ ତୁମେ ଆଗରୁ ପାଇଛ ।

ଯେଉଁ ପ୍ରଶ୍ନ ଜାଗିଅଛି ମନର ଭିତରେ

ନିଜେ ତୁମେ ଦିଅ ଆଜି ତାହାର ଉତ୍ତର ।

 

February, 1963, Sambalpur

 

ଆତ୍ମ ବିସ୍ମରଣ

 

ଦୁନିଆର କେଉଁ ଏକ ଅନ୍ଧାର କୋଣରେ

କେଉଁ କ୍ଷୁଦ୍ର ଶୁଷ୍କ ନଦୀ ପରି

ମୁଁ ହି ଯେବେ ଶୋଇଯିବି

ହଜାଇ ଯେତେକ ସବୁ

ଅତୀତର ଗୌରବ ବିଭବ ।

ସେ ଅନ୍ଧାରେ ହଜିବାର ଗୋଟିଏ ଆନନ୍ଦ

ଯେଉଁଠାରୁ କିଏ କେବେ ମତେ

ଖୋଜି ଖୋଜି ପାଇବନି–

ଯେତେ ଚେଷ୍ଟା କରିସୁଦ୍ଧା

ଫେରିଯିବ ବିଫଳ ନିଷ୍ପ୍ରଭ ।

ଶକୁନିର ଶଠାଚାର ଜୀବନ ପଶାରେ

ଦୁର୍ଯ୍ୟୋଧନ ଧନର ଗରିମା

ମାଇଲ ମାଇଲ ବ୍ୟାପୀ

ନ ଥିବତ ଗ୍ରାସ କରି

ସେଠି ମୋର ଜୀବନର ସୀମା ।

ସାଗରର ଗଭୀରତା ଆକାଶ ବିସ୍ତୃତି

ନୟନରେ ମେଘର ଆର୍ଦ୍ରତା

ଘେନି ସବୁ ତୁମେ କେବେ

ଖୋଜ ଯଦି ଆବେଗରେ

ପାଇବନି ମୋ ସନ୍ଧାନ ଜମା ।

 

18th March, 1963, Sambalpur

 

ସନ୍ଧାନ

 

ଏ ହସର ବ୍ୟୂହ କାଟି, ମୁଁ କରିଛି ପ୍ରତିଦିନ

କେଉଁ ଏକ ସତ୍ୟର ସନ୍ଧାନ;

ଜୀବନ ଯେଉଁଠି ନିତି ମୃତ୍ୟୁ ରୂପ ଧରି

ନିଷ୍ପେଷିତ କରେ କା’ର କୋମଳ ପରାଣ ।

କୁମାରୀ ଯୌବନ ପରି ଉଛୁଳା ଏ ହସ ଭିତରେ

ଚପା ଚପା ଗଳା ଆଉ ଓଠଥରା କଥାର ଗହ୍ୱରେ

ସପନର ସୁନା ଜାଲ ବୁଣି କେତେଥର

ମୁଁ ଭାବିଛି ତୁମ ସାଥେ ହସିବି ଏଥର ।

ଏ ଯେ ହସ କେବେ ଆଣେ ବିଦ୍ୟୁତ କମ୍ପନ

ଗୋଲାପ ପାଖୁଡ଼ା ପରି ଅଧରର ଶେଷାଗ୍ର ଥରାଇ

ଅନୁକ୍ଷଣ ବିଚଳିତ କରେ କାର ମନର ସ୍ଥିରତା

ସରସତା ଦୂରକରେ ବାରମ୍ବାର ହୃଦୟ ଜଳାଇ ।

ମୁଁ ଶୁଣିଛି ଏହି ହସ ସକରୁଣ ଚିତ୍କାର ଭିତରେ

ପାପୀ କିଏ କରୁଥିଲା ଅବଳାର ସତୀତ୍ୱ ହରଣ

ନିକାଞ୍ଚନ ବନଭୂମେ କେଉଁ ଏକ ଧୂର୍ତ୍ତ ଦସ୍ୟୁଦଳ

ସରଳ ପଥିକେ ଯେବେ ଦେଉଥିଲେ ନିର୍ଦ୍ଦୟ ମରଣ ।

ତୁମେ ନିଶ୍ଚେ ଶୁଣିଥିବ ଅରଣ୍ୟର କେଉଁ ଏକ ନିଭୃତ କନ୍ଦରେ

ବାଘମୁଖୁ ନାଳ ଝରେ ପାଖେ ଦେଖି ହରିଣର ପଲ୍ଲ

ସିଏ ଯେବେ ଲମ୍ଫ ଦିଏ ଗଛଲତା ଆଢ଼ୁଆଳୁ ଚାଞ୍ଚରା ଉପରୁ

ଏହିପରି ହସି ହସି ନିମିଷକେ କମ୍ପାଏ ଜଙ୍ଗଲ ।

ମୁଁ ଶୁଣିଛି ଏହି ହସ କେତେଥର ସିନେମା ଓ ନାଟକ ଭିତରେ

ଗୋଧୂଳିରେ ଗୃହଫେରା ସକରୁଣା କେଉଁ ଏକ ପକ୍ଷୀର ଗୀତରେ ।

 

20th March, 1963, Sambalpur

 

ସନ୍ଦର୍ଶନ

 

ଆଜିର ଏ ଯୁଦ୍ଧଭୂମେ ରକ୍ତ ଯହିଁ ବାନ୍ଧଇ ଜମାଟ

ମସ୍ତିସ୍କର ପ୍ରତ୍ୟେକ ସ୍ନାୟୁରେ ଉତ୍ତେଜନା ଭରିଦିଏ

ଗୋଳାଗୁଳି ବନ୍ଧୁକ ଶବଦ

ବରଫର ସସୃଣ ପିଠିରେ କ୍ଷଣକରେ ଢଳିଯାଏ

ଶତ ଶତ କଞ୍ଚା ଦେହ, ବହିଯାଏ ରକ୍ତ ନଦୀ

ପ୍ରାଣ ଯହିଁ ହୁଅଇ ସ୍ତବଧ,

ପ୍ରଭାତର ସୂର୍ଯ୍ୟ ପରି ଶତ ଶତ ସୂର୍ଯ୍ୟ ଘେନି

ନିର୍ବିକାର ଲଢ଼ୁଥାଏ ଯେଉଁ ବୀର ବିକ୍ଷତ ଶରୀରେ

କାଟି କାଟି ଶତ୍ରୁର ବ୍ୟୂହକୁ

ମୁଁ ପଢ଼ିଛି ସେ ରକ୍ତରେ ବିଜୟ ବାରତା

ଦେଖିଅଛି ସେ ମନରେ ସତସିଂହ ବଳ,

ପୁଣି ମୁଁ ଦେଖିଛି ସେହି ଇସ୍ପାତ ଦେହକୁ ।

ତା ମନର ଗଳିକନ୍ଦି ଖୋଜି ଖୋଜି କତୁଆଳ ପରି

ପାଇଅଛି ବହୁ କଷ୍ଟେ କେଉଁ ଏକ ଅବିନଷ୍ଟ ଭାବ

ଯେ ଦେଇଛି ଅଦ୍ୟମ ଉତ୍ସାହ

ଚିରଦିନ ରଖିଅଛି ଗତିଶୀଳ ଜୀବନ-ନଦୀକୁ

ଅନାବିଳ କରିଅଛି ଯେତେ ସବୁ ଆବିଳତା ମଧ୍ୟେ

ତା’ ଜୀବନ ନଦୀର ପ୍ରବାହ ।

ସେ ହୁଏତ ନାକଚଣା ଦୁଲ୍‍ ଅବା କାହାର କେୟୁର

ପାୟଲ ଝଙ୍କାର କାର ବସୁଣି ବା ନୋଥ

ଓଢ଼ଣାର ତଳୁ ଅବା ରାଜସ୍ଥାନୀ ନାକ

ଯେ’ ଯେତେ ଅଲଗା ହେଉ ହୃଦ ମଧ୍ୟେ ତରଙ୍ଗର ପରି

ସବୁ ମନେ ଖେଳିଯାଏ ପ୍ରତିକ୍ଷଣ ସୁନାର ତରଙ୍ଗ

ସେ ହାଓ୍ୱାରେ ଖେଳୁଥାଏ କା’ ମଧୁର ଡାକ ।

ସେ ଗୋଟିଏ ଆକର୍ଷଣ ମନେ ମନେ ଅନଙ୍ଗ ଚେତନା

ହିମାଳୟଠାରୁ ନେଇ କୁମାରୀକା ଯାଏଁ ସବୁସ୍ଥାନେ

ମଣିପୁରୀ, କଥକଲୀ, ଭାରତ ନାଟ୍ୟରେ

ଆଲୋକିତ ତା’ ମନର କ୍ଷୁଦ୍ର ଏକ ଅନ୍ଧକାର ଗଳି

ପାଇଛି ପ୍ରେରଣା କେଉଁ ଭଗ୍ନତାଳ ବାଇ ନାଗ

କି ଅବା ରବୀନ୍ଦ୍ର ଗୀତ, ଓଡ଼ିଶୀ ନୃତ୍ୟରେ ।

ସେ ମରିନି ମରି ବି ପାରିବ ନାହିଁ ଏ ଯୁଦ୍ଧ ଭୂମିରେ

କିନ୍ତୁ ଯଦି ମରିଯାଏ କେଉଁ ଏକ ଆତତାୟୀ ନିର୍ମମ ଗୁଳିରେ

ଆଖିମୁଦି ସେହି ଖାଲି ଦେଖିବ ସପନ

ସେ ଶୋଇଛି ଶାନ୍ତି ମନେ ସୁମସୃଣ ସାଗର ସୈକତେ

କିଏ ସତେ ନୃତ୍ୟରତ୍ତ, କିଏ ଆଜି ସଙ୍ଗୀତ ମୁଖର

ନିରବଧି ଚାଲି ତାର ଚପଳ ଚରଣ ।

 

March, 1963, Sambalpur

 

ଅବଶେଷ

 

ତୁମକୁ ମୁଁ ଭୁଲି ନାହିଁ

ଭୁଲିକି ପାରିବି ? ତା’ବି ଜାଣି ନାହିଁ

ମନର ପାଉଁଶ ତଳେ ଲେଲିହାନ ନିଆଁ ଚେକା ପରି

ଦେହଟାକୁ ପୋଡ଼ି ମୋର ଦିଅ ଭସ୍ମକରି ।

ଦେହହୀନ ରୂପହୀନ ପବନର ତାଳେ ନାଚି ନାଚି

ସର୍ବଗିଳା ନିଆଁ ପରି ତୁମେ ଖାଲି ଗ୍ରାସ କର

ଗାଁ ଘର ଜଙ୍ଗଲ କେଦାର;

ମୁଁ ଜଳିଛି ସେ ନିଆଁରେ ପତଙ୍ଗର ଆକୁଳତା ନେଇ

ଭୁଷୁଡ଼ିଛି ମାଟିକାନ୍ଥ ମୋ ମନ ଡିହର,

ଦହନରେ ଛାଡ଼ିଛି ଚିତ୍କାର ।

ଏ ଦେହର ନଦୀ କେବେ ତୁମ ଦେହେ ଘଷି ହୋଇ ଅତଡ଼ା ଖାଇନି

ଏ ମନର ଗୋଡ଼ିବାଣ କେବେହେଲେ ତୁମଠାରୁ ପରଶ ଚାହିଁନି

ଅମାନିଆ ଫୁଲି ଫୁଲି ତୁମେ ଯେବେ ଭାଙ୍ଗିଦେଲ ବିଭେଦର ବନ୍ଧ

ବନ୍ୟାପରି ମାଡ଼ିଗଲା ସେହିଦିନୁ ତୁମ ସଙ୍ଗେ ମୋର ସମ୍ୱନ୍ଧ ।

ମୁଁ ହୁଏତ ଭୁଲିଯିବି ଜଳି ଜଳି ଭଷ୍ମ ହେବି ଯେବେ

ଆଲୋକ ଭୁଲଇ ଯେହ୍ନେ ଅନ୍ଧାରରେ ଅସ୍ତିତ୍ୱ ହରାଇ

ଜୀବନର ସୁରା ପାନେ ରହିବନି ଯେବେ ଆଉ ଟିକିଏ ମୋ ଜ୍ଞାନ

ଗାଉଥିବି ନଷ୍ଟଛନ୍ଦ ଗୀତ ଏକ ବୃଥାଟାରେ କଣ୍ଠକୁ ଥରାଇ ।

କେବେ ଅବା ମରିଯିବି ବିନ୍ଦୁପରି ଆୟତନ ହୀନ

ମରିବନି କିନ୍ତୁ ମୋର ଧମନୀରେ ନିଆଁର କମ୍ପନ

ସମୁଦ୍ରରେ ନିଆଁ ଲାଗେ, ନିଆଁ ଲାଗେ ଧମନୀ ଭିତରେ

ନିଆଁ ଲାଗେ, କାହା ହୃଦେ ମିଠାକଥା ମଧୁର ଗୀତରେ ।

ସମୁଦ୍ରର ନିଆଁ ମଧ୍ୟ ଚେଷ୍ଟା କଲେ ଲିଭିଯାଇ ପାରେ

ଲିଭିପାରେ ଅରଣ୍ୟର-ଅବା ଜଳିଯାଉ ଅରଣ୍ୟଟା;

ମାତ୍ର ଯେବେ ଧମନୀରେ ଏ ନିଆଁର ତରଳ ପ୍ରବାହ

ତିଳେ ତିଳେ ଦଗ୍ଧ କରି ରଖେ ନାହିଁ ଜୀବନର ସତ୍ତା ।

ସବୁ ଖାଲି ଚୋରାବାଲି ଖାଲି ନିଆଁ ପ୍ରଳୟ ତୋଫାନ

ତରୁଣୀର ବର୍ଷାଭିଜା ଦେହପରି ସବୁ ଆକର୍ଷଣ

ଏଠି ଯେବେ ନିଆଁ ଜଳେ ପତଙ୍ଗର ଅଭାବ ରହେନି

ଆଣ୍ଠୁଯାଏଁ ଗଳିଯାଉ (ତଥାପି ତ) ଚୋରାବାଲି ହୁଅଇ କର୍ଷଣ ।

ବିନୟ ବିନମ୍ର ଯେତେ ଲାଞ୍ଜହଲା ଦାନ୍ତର ନିକୁଟା

ଏ ପୋଷା ମାନିବା ମଧ୍ୟେ ରହିଅଛି ରୁଟିର ଆବେଗ

ତଥାପି ତ ଭଲଲାଗେ ପାଦଚଟା ଦାସତ୍ୱ ସ୍ୱୀକାର

ପ୍ରତିହତ ଯେଉଁ ସ୍ରୋତେ ତିଳେ ତିଳେ ଜୀବନର ବେଗ ।

ମୁଁ ଜାଗିଛି ନିମିଳିତ ଆଖିପତା ଆକାଶୀ-କନ୍ୟାର

ଏଇ ଦେଖ କିଏ ସତେ ବୁଣିଦେଲା ଅଜସ୍ର ରତନ

ରଜନୀ ରୂପସୀ ଏବେ କରୁଅଛି ନୈଶ୍ୟ ଅଭିସାର

ବିଟ ଜହ୍ନ ଖୋଲୁଅଛି ଧୀରେ ଧୀରେ ତା’ଦେହ ବସନ ।

ଜହ୍ନପାଖେ ପୋଷାମାନେ ଏ ରାତ୍ରୀର ବହଳ ଅନ୍ଧାର

ରୁଟି-ଲୋଭୀ ଲୋମହୀନ ଦାଣ୍ଡବୁଲା କୁତିଟିଏ ପରି

ନିଜକୁ ହଜାଇ ସେଠି ଅନ୍ୟକିଛି ପାଇବା ଆଗ୍ରହ

ଅଜହ୍ନ ରଜନୀ ଖୋଜେ ଜହ୍ନ ପଛେ ଦିବସ ଶର୍ବରୀ ।

ଇତିହାସ ବହୁପୂର୍ବ କେଉଁ ଏକ ଅନ୍ଧାରୀ ଗୁହାରେ

ଯୁଗାନ୍ତର ଇତିହାସ ସଭ୍ୟତାର ଅସୀମ ଆଲୋକ

ଏ ରାତ୍ରିର ଗହମ ନିଦରେ ଆଜି ତୁମରି ପ୍ରତୀକ୍ଷା

ବିରହ ବିଧୁର କରେ କୃଷ୍ଣଚୂଡ଼ା ପୁଷ୍ପିତ ଅଶୋକ ।

 

April 1963, Sambalpur,

 

ମୀମାଂସା

 

କେବେ କେତେ ଇନ୍ଦ୍ରଧନୁ ଗଢ଼ି ଉଠି ଭାଙ୍ଗି ଯାଏ

ଭାଙ୍ଗି ପୁଣି ଗଢ଼ି ଉଠେ ବିଦ୍ୟୁତ ଝଲକେ

ଲୁଣ୍ଠି ମୋର ମନୁ ଯେତେ ସଞ୍ଚିତ ଅନ୍ଧାର

ତିମିରାଭ ଦୂରକରି ଚକ୍ଷୁର ପଲକେ ।

ଏ ମନର ବଳ ମଧ୍ୟେ ଆଶଙ୍କାର ସରୀସୃପ

କୁଣ୍ଡଳୀ ବାନ୍ଧିଛି ଯହିଁ ଦୁର୍ଭେଦ୍ୟ ଅଗମ୍ୟ

ପ୍ରତ୍ୟୟର ନିଆଁ ଜାଳି ବାଟ ଖୋଜେ ମୁହିଁ

ବିଲୋକିଛି ଇନ୍ଦ୍ରଧନୁ ବିକାଶ ସୁରମ୍ୟ ।

ଯୁଗାବ୍‍ଧ୍‍ର ଦୁଃଖ ଆଉ ବ୍ୟାକୁଳ ବିଳାପ

ସହସ୍ର ଯୋଜନ ବ୍ୟାପି ରସନା ଲମ୍ୱାଇ

ଗ୍ରାସି ଯିବ ସତେ ଅବା ସଞ୍ଚିତ ଆସ୍ୱାଦ

ଶରାହତ ପକ୍ଷୀପରି ରକ୍ତାକ୍ତ କରାଇ ।

ତଥାପିତ ବଞ୍ଚିବାଟା ଅବ୍ୟର୍ଥ ଅବ୍ୟୟ

ଆଶଙ୍କାର ମଧ୍ୟେ ଥାଏ ସେ ଆତ୍ମ-ପ୍ରତ୍ୟୟ ।

 

11th. March, 1963, Sambalpur

 

ଚନ୍ଦ୍ର ଦିନେ ଉଠିଥିଲା ନିମର ପଛରେ

 

ହିସାବ ରଖିନି ଆଜି ତୁମେ ଆଉ ବଞ୍ଚିଛକି ନାହିଁ

ମରୁଝରେ ମିଶିଛବା ଭାଷିଅଛ ଅତଳ ସାଗରେ

ଥାଅ ବା ନଥାଅ ତୁମେ ବେଶୀ କିଛି ଯାଏ ଆସେ ନାହିଁ

ଏତିକି ଜାଣିଛି କିନ୍ତୁ ରହିଅଛ ମୋ ମନ ଭିତରେ ।

ତୁମେ ଯେବେ ବଞ୍ଚିଥାଅ ଥିବ ନିଶ୍ଚେ ତୁମରି ମନରେ

ଏମିତିକା ଚନ୍ଦ୍ର ଦିନେ ଉଠିଥିଲା ନିମର ପଛରେ

ଗଦା ଗଦା ନିମ ଫୁଲ ତୁମେ ଖାଲି ଅଣ୍ଟିରେ ଭରିଲ

ଯେତେ ମନା କଲି ତୁମେ ସତେ ଟିକେ ନଡରିଲ ।

ହାତ ଠାରି ଆବେଗରେ ଡାକୁଥିଲା ସାଦ୍‍ବଳ ପୃଥିବୀ

ମତୁଆଲା ଜହ୍ନ ଅବା ଯାଉଥିଲା ଏ ରକ୍ତରେ ଦ୍ରବି ।

ମୁଁ ହିଁ ଯେବେ ଶୋଇ ଶୋଇ ମଖମଲୀ ଘାସ ଗାଲିଚାରେ

ନୀରବରେ କରୁଥିଲି ଚନ୍ଦ୍ରମଧୁ ରସ ଆସ୍ୱାଦନ

ଉଦବେଳ ଉତ୍ତାଳ ତୁମେ ଉତ୍ସୃଙ୍ଖଳ ଗିରି ନଦୀ ପରି

କ୍ଷଣିକରେ ଭାଙ୍ଗିଦେଲ ମୋ ମନର କୋମଳ ସପନ ।

ଭିଣା ତୁଳା ମେଘ ଖଣ୍ଡେ ଚନ୍ଦ୍ର ଦେହେ ମାଖିଦେଲା ପରି

ଏ ଦେହର ଉପାନ୍ତରେ ମିଶିଗଲ ମୋ ଗଳାକୁ ଧରି

ଶିଶିର ବିନ୍ଦୁଟି ପରି ଧରାଦେଇ ବୁଢ଼ିଆଣୀ ଜାଲେ

ହସ୍ତିତ୍ୱ ହାରିଲ ତୁମେ ମୋ ଭିତର ଘମିସ୍ତିକ୍ତ ଭାଲେ ।

କେତୋଟି ଶିଶିର ବିନ୍ଦୁ ଝରାପତ୍ର ଘାସର ଗାଲିଚା

ମନ ମଧ୍ୟେ ଜାଳିଦିଏ ଦାବାନଳ ଆମର ପ୍ରୀତିର ।

କାର୍ତ୍ତିକର ରାତି ଆଜି ପୁଣି ସେହିପରି ଜହ୍ନ

ଜ୍ୟୋତ୍ସ୍ନାସ୍ନାତ ନିମ ଗଛ ମୂକ-ସାକ୍ଷୀ ବିଗତ ସ୍ମୃତିର ।

 

April 1963, Sambalpur

 

ଅଶ୍ରୁଳ ସମ୍ବେଗ

 

ଧ୍ୱଂସମୁଖୀ ଏହି ବାତ୍ୟା କରିଅଛି ପ୍ରଳୟ ନର୍ତ୍ତନ

ଖଣ୍ଡ ଖଣ୍ଡ କାଟି କାଟି ସମୟର କୋମଳ ସ୍ତ୍ୱଦ୍ଦକୁ

ଦୁର୍ବାର ବେଗରେ ଧାଇଁ ମତୁଆଲା ମଦ୍ୟପର ପରି

କ୍ଷଣ କ୍ଷଣ ଆଲୋଡ଼ନ କରୁଅଛି ସାଗର ମନକୁ ।

ନୀଡ଼ହୀନ ନିଃସହାୟ ପାରାବତ ପକ୍ଷୀଟିଏ ପରି

ନିର୍ଦ୍ଦୟ ଝଡ଼ରେ ଉଡ଼ି ସ୍ଥିତିହୀନ ଅସ୍ତିତ୍ୱ ଭିତରେ

ତୁମକୁ ଖୋଜୁଛି ଖାଳି ଖୋଜୁଅଛି ତୁମରି ଦେହକୁ

ପ୍ରଳୟ ତୋଫାନ ଖରା ହାଡ଼ଭଙ୍ଗା ଫଗୁଣ ଶୀତରେ ।

ତୁମେ ଯଦି ଖୋଜିଥାନ୍ତ ଏ ପ୍ରାଣର କରୁଣ ଅନ୍ଧାରେ

ଘୂରି ଘୂରି ମୋ ମନର ସରୁ ସରୁ ରାସ୍ତାର ମୋଡ଼ରେ

ଦେଖିଥାନ୍ତ କିଏ ସତେ ଯାଇଅଛି ଅନଳ ଲଗାଇ

ଯାହାଲାଗି ଏ ପ୍ରତୀକ୍ଷା ଚକ୍ଷୁ କୋଣେ ଲୋତକ ଜକେଇ ।

ପ୍ରଣୟ ପ୍ରତୀକ୍ଷା ସବୁ ମୂଲ୍ୟହୀନ ବାସିଫୁଲ ପରି

ବାତ୍ୟାପରି କ୍ଷଣସ୍ଥାୟୀ ଅତୀତର ଅଶ୍ରୁଳ ସ୍ମାରକୀ

ସେମ୍‍ର ତୁଳାର ପରି ଏ ହାଓ୍ୱାରେ ଆମର ଅସ୍ତିତ୍ୱ

ସବୁ ଏଠି ଆପେକ୍ଷିକ କିଏ ଆଉ ରହେନାହିଁ ବାକି ।

ଥମିଯିବ ଏ ତୋଫାନ ଶାନ୍ତ ହେବ ରକ୍ତର ତାଣ୍ଡବ

ଏମିତି ହୁଏତ କେବେ ତୁମ କଥା ମନେ ପଡ଼ିଯିବ ।

ଧମନୀରେ ଫୁଲି ଉଠି ରକ୍ତନଦୀ ଲହଡ଼ି ଭାଙ୍ଗିବ

ଆବେଗ ଉନ୍ମାଦ ହୋଇ କେବେ ଯଦି ସପନ ଭାଜିବ

ବଣିକ ହାରିଲା ପରି ମଣି ମୁକ୍ତା ସାଗର ସୈକତେ

ବିଚ୍ଛିନ୍ନ ବ୍ୟକ୍ତତ୍ୱ ମୋର ଖୋଜି ଖୋଜି ଅନ୍ୟକେ ରୂପରେ

ଲୁଣ୍ଠିତ ଆସ୍ୱାଦ ପାନେ ଭୁଲି ତୁମ ପ୍ରେମର ସ୍ୱାପତ

କବରୀ କୁସୁମ ଗନ୍ଧ କଜ୍ଜ୍ୱଳିତ ନୟନ ଉପରେ ।

କିଏ କେତେ ଭଲ ଅବା କିଏ କେତେ ସରଳ ସୁନ୍ଦର

ନଥିବ ମନର ସ୍ପୃହା ଦେହପାଇଁ ଦେହର ବା ଅଦମ୍ୟ ଆବେଗ

ଆଉ ଏତେ ବିଶ୍ଳେଷଣ ତୁଳନା ବା ଅଙ୍କ କଷାକଷି

କେବେ ଯଦି ମନେପଡ଼ି ଥିବ ଖାଲି ଦୁର୍ବଳତା ଅଶ୍ରୁଳ ସମ୍ବେଗ ।

 

April-1963, Sambalpur

 

ଅସୀମ ଯାମିନୀ

 

ଏ ରାତ୍ରିର ଶେଷ ନାହିଁ ଯିବ ନାହିଁ ବହଳ ଅନ୍ଧାର

ସ୍ରଷ୍ଟା ଏଠି ଶୋଇଥିବ ଯୁଗ ଯୁଗ ଗହମ ନିଦରେ ।

ତୁମେ ଯେତେ କାଳ ଅବା ମୁଣ୍ଡପିଟ ସବୁ ନିରର୍ଥକ

ସବୁ ଏଠି ହଜିଯିବ ନିଷ୍କରୁଣ ଅନ୍ଧାର ଭିତରେ ।

ସ୍ରଷ୍ଟା ଆଜି କୁମ୍ଭକର୍ଣ୍ଣ ନିଦ ତାର ସହସ୍ର ବରଷ

ଜଳ ସ୍ଥଳ ବନ-ଗିରି କମ୍ପେ ତାର ନିଃଶ୍ୱାସ ପ୍ରଶ୍ୱାସ

ସ୍ୱର୍ଣ୍ଣଲଙ୍କା ସେ ନିଦରେ ସେ ତାମସ ମଦିର ସ୍ୱପ୍ନରେ

ଧ୍ୱଂସ ହୁଏ ନିଷ୍ପେଷିତ ନିପୀଡ଼ିତ ଅନଳ ବିଶ୍ୱାସ ।

ମନେ ଆଜି ବଞ୍ଚିବାକୁ ବଳଦିଏ ଆମର ପ୍ରଣୟ

ଅନ୍ଧାରକୁ ପିଇ ଆମେ ଆଲୋକର ଆଶାରେ ପୁଲକ

ସାପୁଆ କେଳାର ପରି ପେଟ ପାଇଁ ଆମେ ଅକାତରେ

ଖେଳାଉଛୁ ନିର୍ବିକାରେ ଅହିରାଜ ବିଷାକ୍ତ ଅନେକ

ଏ ଅନ୍ଧାରେ ଯୁଗ ଯୁଗ ଖୋଜିଛି ମୁଁ ଅଜସ୍ର ଆଲୋକ

ତମିସ୍ର ଯାମିନୀ ବକ୍ଷେ ଦୀପ୍ତ ଏକ ଜ୍ୟୋତିର ଝଲକ ।

 

14th April, 1963, Sambalpur.

 

ଜୀବନ ଦର୍ଶନ

 

ହସନ୍ତ ଯୌବନ ତୁମ ବସନ୍ତର କୋମଳ ବିକାଶେ

ରଙ୍ଗ ଓ ମହକ ଉଡ଼େ ମାଦକରେ ଆକାଶେ ବତାସେ

ମନର ମଦିରା ପିଇ ଭୁଲି ଯେତେ ଦେହର ବିଭେଦ

ଦୁର୍ନିବାର ଅଭିଳାଷ ତୃପ୍ତି କରି ନିଶ୍ଚଳ ନିର୍ବେଦ

ସାଙ୍କେତିକ ଚାହାଣିରେ ନିର୍ଝରିଣୀ ଦୁଷ୍ଟ ଚପଳତା

ଚଞ୍ଚଳ ଚରଣେ ଭରି କୃଷ୍ଣଚୂଡ଼ା ରକ୍ତିମ ଅଳତା

ଚାହିଁଅଛି ରଙ୍ଗରସ ଗାଣିତିକ ଗୁଣନର ଫଳ

ଆଜି ତୁମେ ନିର୍ବାପିତ ଦୀପ-ଶିଖା ନୀରବ ନିଶ୍ଚଳ

ଅଶ୍ରୁପୋଛି ପୁଲକିତ କରିଅଛ ଅଶ୍ରୁଳ ଲପନ

ଗଢ଼ିଅଛ କେତେ ମନେ କେତେ ରଙ୍ଗେ ଆକାଶୀ ସପନ

ଅନେକକୁ ଏକାକାର କରିଅଛ ବାହୁର ବନ୍ଧନେ

ଗତିଶୀଳ କରିଅଛ ଅଥର୍ବକୁ ତୁମରି ସ୍ପନ୍ଦନେ

ଦହନରେ ଜାଳି ତୁମେ ସ୍ୱର୍ଣ୍ଣ ଦେହ ଉଦ୍ଭାସିତ କର

ଶାନ୍ତକର କ୍ଷଣିକରେ ତପ୍ତମନ ଅଥୟ ଅଧୀର

ଭୀରୁ ମନୁ ଭୟ ନେଇ ଦିଅ ତାକୁ ଦୁର୍ବାର ଅଭୟ

ଅବିଶ୍ୱାସୀ ପ୍ରାଣେ ପ୍ରାଣେ ଢାଳିଦିଅ ସେ ଆତ୍ମ ପ୍ରତ୍ୟୟ

ଜୀବନର ଧୂପଶିଖା କୁହେଳିକା ମନର ଅନ୍ଧାର

ପ୍ରବାହିତ ନଦୀପରି ଦୁଃଖ ସୁଖ ସଂସାର ବେଭାର

କେ ନଜାଣେ ଶ୍ଳାଘ୍ୟ ଘୂର୍ଣ୍ଣ ଖରା ଛାଇ ଦୁଇଟି ସଂସ୍ଥାନ

ଏ ଦେହର ଛାଇପରି ଏକ ଛାଡ଼ି ନରହଇ ଆନ ।

 

ଚାରୋଟି କବିତା

 

ତୁମେ ସବୁ–ତୁମେ ଯିଏ ଖୋଜୁଅଛ ରାଜସୁଖ ବିଳାସ ବ୍ୟସନ

ନିଃସଂକୋଚେ ନିସ୍ୱ କରେ ନିରୀହକୁ ତୁମରି ଶୋଷଣ

ନିତି ସ୍ୱପ୍ନ ଦେଖ ନିରର୍ଥକ ଆକାଶୀ କନ୍ୟାର

ବାସ୍ତବକୁ ଭୁଲି ତୁମେ ଭାଷି ଦେହେ ସପନ ବନ୍ୟାର ।

ତୁମରି ଚାବୁକେ ଯହିଁ ସାମ୍ୟବାଦ ଛାଡ଼ଇ ଚିତ୍କାର

ଲକ୍ଷ ପ୍ରାଣେ ଭୟଆଣେ ବଜ୍ରସମ ନିର୍ଦ୍ଦୟ ପୁତ୍କାର

ଭ୍ରୂକୁଟି କୁଞ୍ଚନ ତବ ଶୁଷ୍କ କରେ ଜୀବନର ଫଲ୍‍ଗୁ

ତୁମେ ସବୁ ଲୁଣ୍ଠିତର ରକ୍ତେ ଆଜି ଖେଳୁଅଛ ଫଗୁ ।

ତୁମେ ହସ ପାଅ ଯେବେ ମୂଲ୍ୟ କିଛି ହସିବା ସକାଶେ

ସେ ହସରେ କିଏ ଖୁସୀ କିଏ ପ୍ରାଣ ଛାଡ଼ଇ ହତାଶେ

ତୁମେ ସବୁ ଶାଗୁଣାର ଦଳପରି ଆମକୁ ଗିଳୁଛ

ସର୍ବଗ୍ରାସୀ ହୁତାଶନେ ନିରୀହର ପ୍ରାଣକୁ ଜାଳୁଛ

ତୁମେ ସବୁ ବଞ୍ଚିଥାଅ, ବଞ୍ଚୁଥାଅ ତୁମରି ବିଳାସ

ତୁମପାଖେ ହେଉ ମଧ୍ୟ ହତଭାଗା ଜୀବନ ବିକାଶ

ଆମେ ସବୁ–ଖଣ୍ଡିଏ ରୁଟିର ପାଇଁ ଆମ ଛୁଆ କାମୁଡ଼ା କାମୁଡ଼ି

ନାଳରୁ ସାଉଁଟା ଭାତ ଆମପାଇଁ ବିଶିଷ୍ଟ ବ୍ୟଞ୍ଜନ

କିଏ ବା ଦେଖୁଛି ତାକୁ ଭୋଗ ଶୋଷେ କିଏ ସରିଲାଣି

ତିନି ଦିନୁ ମୁଠେ କିଏ ପାଇନାହିଁ ଛାଡ଼ିଛି କ୍ରନ୍ଦନ

ମୃତ୍ୟୁଲାଗି ଭୟନାହିଁ ସେ ଆମ ଅତି ଆପଣାର

ଯେଉଁପରି ଛାଗ ଶିଶୁ ଗଧିଆର ଅବ୍ୟର୍ଥ ଶିକାର

କାହାକୁ ସେ ଝାମ୍ପି ନିଏ ନର୍ଦ୍ଦମାର ଅନ୍ଧାର ଭିତରୁ

କାହାକୁ ଉଦ୍ଧାର କରେ ହାଡ଼ଭଙ୍ଗା ପ୍ରବଳ ଶୀତରୁ

ଅତି ମୃତ୍ୟୁ ଅପମୃତ୍ୟୁ ପ୍ରତିକ୍ଷଣ ମୃତ୍ୟୁ ଖାଲି ମୃତ୍ୟୁ

କିଏ ଆଜି କିଏ କାଲି ସମୟର ତାରତମ୍ୟ ମାତ୍ର

ଜନ୍ମହୋଇ କେ ମରିଛି, ମରିଛି କେ ଜନ୍ମର ପୂର୍ବରୁ

ଏ ଆମର ଦେହସୁହା ନୁହେଁ କିଛି ବିଶିଷ୍ଟ ବିଚିତ୍ର

ଆମେ ଆଜି ମାଗୁଅଛୁ ନାଯ୍ୟଦାବି ବଞ୍ଚିବା ସମ୍ମାନ

ପ୍ରାସାଦର ପାଖେ ପାଖେ କୁଟୀର ହସ ଅବସ୍ଥାନ ।

ସେହିମାନେ–ପେଶାଦାର ଶକୁନିର ଦଳ ଦେଖି ଏହି ଆକ୍ରମଣ

ଆମର ଯାତନା ଦୁଃଖ ଦୁର୍ବିସହ ତୁମର ଶୋଷଣ

କୌରବଙ୍କ ଅନ୍ନେ ବଢ଼ି ପାଣ୍ଡବଙ୍କ ସୁଖ ଯିଏ ଭାବେ

ଏ ମହାଭାରତ ଯୁଦ୍ଧ ନ ହୁଅନ୍ତା ତାହାର ଅଭାବେ ।

ତୁମେ ତାକୁ ଚିହ୍ନି ରଖ ଲୁଚିଛି ସେ ମନର ଅନ୍ଧାରେ

ସ୍ୱାର୍ଥକାମୀ ତୁମ ପ୍ରାଣେ ପ୍ରଭୁତ୍ୱର ଆତ୍ମ ବଡ଼ିମାରେ

ସୂଚ୍ୟଗ୍ର ମେଦିନୀ ପଛେ ଦିଅନାହିଁ ବଢ଼ାଅ ଶୋଷଣ

ଶକୁନି କି ଚିହ୍ନିଥାଅ ଦେଖିଥାଅ କରି ଅନ୍ୱେଷଣ ।

ଜୀବନର ଯୁଦ୍ଧଭୂମେ ତୁମେ ଆମେ କରୁନାହୁଁ ରଣ

ଅଗୋଚରେ ଘୂରୁଅଛି ସର୍ବଗ୍ରାସୀ ଚକ୍ର ସୁଦର୍ଶନ

ଶୋଷଣ ଦମନ ପଛେ ନାହିଁ କିଛି ତୁମର ବୀରତ୍ୱ

ତୁମର ବା ଧ୍ୱଂସ ଲାଗି ତିଳେ ନାହିଁ ଆମର କୃତିତ୍ୱ ।

ଭଲକରି ଚିହ୍ନି ତାକୁ ଛଦ୍ମବେଶୀ ଶକୁନିର ଦଳ

ତୁମ ଧ୍ୱଂସ ପାଇଁ ଯିଏ ଶିଖାଉଛି ଯୁଦ୍ଧ କୌଶଳ ।

ସମସ୍ତେ–ମାଇଲ ମାଇଲ ଲମ୍ୱା ପାଇନ୍‍ର ଜ୍ୟାମିତିକ ରେଖା

କିଏ ସେଠି ଊର୍ଦ୍ଧ୍ୱଚୂଳ କିଏ ଛୋଟ କିଏ ବା ବିସ୍ତୃତ

ଗାଣିତିକ ଜୀବନର ରସହୀନ ଅଙ୍କ କଷାକଷି

ହିସାବ ନିକାଶ ଯହିଁ ହୁଏ ନାହିଁ ସମ୍ଭବ ସମ୍ଭୂତ

ଧରିତ୍ରୀର ଫୁଲ ଗଭା କଜ୍ଜ୍ୱଳିତ ଖୋସାର ସମ୍ଭାରେ

ମାଳତୀ ମାଧବୀ ହେନା ଜୁଇଯାଇ କାର ବାସ୍ନା କେତେ ?

ଗୋଲାପର ଯେତେ ମୂଲ ଗୋଡ଼ିବାଣ ସେତିକି ସରସ

ଫୁଲ ନୁହେଁ ସବୁ ଖାଲି ମୂଲ୍ୟବୋଧ କବରୀ ପରଶ ।

ଅନ୍ୟ ଦୁଃଖେ ସୁଖଗ୍ରାହୀ ସବୁ ଯେତେ ନଅହେ ଶପଥ

ପରଶ୍ରୀକାତର ସର୍ବେ ଆସ ଆଜି ନ ହୋଇ ବିବ୍ରତ

କର୍ମର ସାଧନା ପୀଠେ ଗାଇଉଠ ଜନତାର ଜୟ

ପ୍ରତି ହୃଦେ ଜାଗିଉଠୁ ଦୁର୍ନିବାର ସେ ଆତ୍ମ ପ୍ରତ୍ୟେୟ ।

ତୁମେ ଆଜି ଦାନବୀର ସେହିମାନେ ଧର୍ମ ଅବତାର

ଆମେସବୁ ନିର୍ବିକାର ଛାଡ଼ି ଆମ ପରଶ୍ରୀକାତର ।

 

ଫୁଲ

 

ଥିରି ଥିରି କଥା ଆଉ ଈଷତ୍ ହସ ଟିକିଏ ସୁଗନ୍ଧ

ମଳୟର ଖୋଲା ଦେହେ ଦେହଘଷା ମଦିର ପରଶ

କଜ୍ଜ୍ୱଳିତ ଖୋପା ଅବା ଶଙ୍ଖଦୃଶ୍ୟ ମସୃଣ ବେକରେ

ମତୁଆଲା ମାଦକତା ଖେଳି ଖେଳି ହୁଅଇ ଅବଶ ।

ନିର୍ମୋକରୁ ସଦ୍ୟମୁକ୍ତ ସରୀସୃପ ଚଞ୍ଚଳତା ନେଇ

ମଳୟ ବାହୁରେ ଉଡ଼ି ପ୍ରତି ମନେ ଅନଳ ଲଗାଇ

କିଏ ଆଜି ପ୍ରଜାପତି ମଧୁଗୀତେ କରଇ ମିନତି ?

ଆଶ୍ଳେଷେ ନିଃଶେଷକର ଏହି ତା’ର ଶେଷ ପରିଣତି ।

ହେ ଫୁଲ ଦେଖିଛ ତୁମେ କେତେ ଦେହ । କେତେ ମନ କଥା

ଗୋପନରେ ପଢ଼ିଅଛ । ଜାଣିଅଛ ହୃଦୟର ବ୍ୟଥା ।

ଫେରାଇକି ଆଣିପାର ମୋ ମନର ସେହୃତ ବିଶ୍ୱାସ ?

ବୁଝାଇ କହିବ ଥରେ ଧର୍ମ, ମୋକ୍ଷ ସବୁର ନିର୍ଯ୍ୟାସ ?

ଦେବତାକି ଶୋଇ ଶୋଇ ମାରୁଥାଏ ଅଳସ କୁହାଟ ?

ରାକ୍ଷସ କି ନରମାଂସ ଖୋଜୁଥାଏ ଅନ୍ଧାର ଗହ୍ୱରେ

ମୋକ୍ଷ କେବେ ରାକ୍ଷସର ଲୋଡ଼ା ନାହିଁ ? ଦେହ ଦେବତାର ?

ସେ କି କେବେ ଖୋଜେ ନାହିଁ ଦେହମନ ଚତ୍ୱରେ ଚତ୍ୱରେ ?

କେ’ଏକ ଗଣିକାସାରି ଦୈନନ୍ଦିନ ନୈଶ୍ୟ ଅଭିସାର

ବାଢ଼େନା କି ଦେବତାକୁ ଏକମନେ ପୂଜା ଉପଚାର ?

ରାକ୍ଷସ କି ଦିଏ ନାହିଁ ନାୟିକାକୁ କୁସୁମ ସମ୍ଭାର ?

କରିକି ପାରିବ ତୁମେ ଏ ସତ୍ୟକୁ ଆଜି ଅସ୍ୱୀକାର ?

ଆଣିଥିବ ତୁମେ ନିଶ୍ଚେ କେତେ ମନେ ପ୍ରିୟାର ସପନ

ପ୍ରିୟର ଅଭୁଲା କଥା ହସକୁରା ସୁନ୍ଦର ଲପନ ।

ଦେହାତୀତ କାଳାତୀତ ଅନୁଭୂତି ଦେହଜ କରିଛ

ଜୀବନର-ସ୍ୱୟମ୍ବରେ ଶ୍ଳାଘ୍ୟ, ଘୃଣ୍ୟ ସବୁକୁ ବରିଛ ।

କିଏ ଏଠି ନିର୍ବିକାର ? ଜଳୁନି କେ ଦେହର ଦହନେ ?

କହ କିଏ ଜରାମୁକ୍ତ, ରୋଗମୁକ୍ତ କେ’ଅବା ଅମର ?

ହେଲେ ସୁଦ୍ଧା ଭଗ୍ନ ଜାନୁ ଲଢ଼ି ଲଢ଼ି ଜୀବନ ସଂଗ୍ରାମେ

କିଏ ଅବା ଏଡ଼ିଦେବ ଆକର୍ଷଣ ଅତୃପ୍ତ ମନର ?

 

March, 1963, Sambalpur

Image